ବିଜୟଙ୍କ ଶପଥ ଉତ୍ସବରେ ବାଜିଲା ବନ୍ଦେ ମାତରମ
ଚେନ୍ନାଇ: ସରକାରୀ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ପୂର୍ବରୁ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରିବା ନେଇ ଚଳିତ ବର୍ଷ ଜାନୁଆରିରେ ନରେନ୍ଦ୍ର ମୋଦୀ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ବିରୋଧୀ ଦଳଗୁଡ଼ିକ ତୀବ୍ର ସମାଲୋଚନା କରିଥିଲେ। କିନ୍ତୁ ରବିବାର ତାମିଲନାଡ଼ୁରେ ସି ଯୋଶେଫ ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଅବସରରେ ଜାତୀୟ ସଙ୍ଗୀତ ପୂର୍ବରୁ ବନ୍ଦେ ମାତରମ୍ ବାଜିଥିଲା। ଏହି ସମୟରେ ବିଜୟଙ୍କ ସହିତ ମଞ୍ଚ ଉପରେ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ।ବନ୍ଦେ ମାତରମ୍ର ପ୍ରଥମ ଛଅ ପଦ ପରିବେଷଣ କରିବା ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଜାତୀୟ ଗୀତ ସମ୍ପୂର୍ଣ୍ଣ ବାଜିଥିଲା। ତେବେ ପ୍ରସିଦ୍ଧ ବଙ୍ଗଳା ଲେଖକ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ୧୮୮୨ ମସିହାରେ ‘ବନ୍ଦେ ମାତରମ୍’ ଲେଖିଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ଶନିବାର ପଶ୍ଚିମବଙ୍ଗରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଏହା ବାଜି ନ ଥିଲା। ଉଲ୍ଲେଖଯୋଗ୍ୟ ନରେନ୍ଦ୍ର ମୋଦୀ ସରକାର ଜାନୁଆରି ମାସରେ ଦେଇଥିବା ନିର୍ଦ୍ଦେଶନଳାମା ସେତେବେଳେ ବଡ଼ ଧରଣର ରାଜନୈତିକ ବିବାଦ ସୃଷ୍ଟି କରିଥିଲା। କଂଗ୍ରେସ ନେତୃତ୍ବାଧୀନ ବିରୋଧର ଦଳ ସରକାରଙ୍କର ଏହି ପଦକ୍ଷେପକୁ ତୀବ୍ର ସମାଲୋଚନା କରିଥିଲେ।




