ଇରାନର ଗୁପ୍ତ ତୈଳ ନୌବାହିନୀ ଉପରେ କଟକଣା ଲଗାଇଲା ଆମେରିକା
ୱାସିଂଟନ: ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଓମାନର ରାଜଧାନୀ ମସ୍କଟରେ ଅନୁଷ୍ଠିତ ପରୋକ୍ଷ ଆଲୋଚନା ମଧ୍ୟରେ ଆମେରିକା ଇରାନ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଇରାନର ତୈଳ ରପ୍ତାନିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ୱାସିଂଟନ ନୂତନ ଓ କଠୋର ଆର୍ଥିକ କଟକଣା ଘୋଷଣା କରିଛି। ଇରାନର ଗୁପ୍ତ ତୈଳ ନୌବାହିନୀ ଉପରେ ଆମେରିକା କଟକଣା ଲଗାଇଛି। ଆମେରିକା ପକ୍ଷରୁ ଇରାନର ଶକ୍ତି କ୍ଷେତ୍ରକୁ ଟାର୍ଗେଟ କରି ଏହି କଟକଣା ଜାରି କରାଯାଇଛି। ଏହି ପଦକ୍ଷେପ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ଉପରେ ସର୍ବାଧିକ ଚାପ ପ୍ରୟୋଗ ନୀତିର ଏକ ଅଂଶ। ଏହାର ଲକ୍ଷ୍ୟ ହେଉଛି ତେହେରାନର ଆୟକୁ ସୀମିତ କରିବା। ଏହି କଟକଣା ଯୋଗୁ ଇରାନର ରାଜନୈତିକ ମହଲରେ ଏକ ବଡ଼ ନିରାଶାର ବାତାବରଣ ଦେଖାଦେଇଛି। ଆମେରିକା ବୈଦେଶିକ ବିଭାଗ କହିଛି ଯେ, ଏହି କଟକଣା ମୋଟ ୧୪ଟି ଜାହାଜ, ୧୫ଟି କମ୍ପାନି ଓ ଦୁଇ ଜଣ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଛି। ଏହି ଜାହାଜଗୁଡ଼ିକ ବେଆଇନ ଭାବରେ ଇରାନ ତେଲ ପରିବହନ କରୁଥିବା ଅଭିଯୋଗ ହୋଇଛି। ଯେଉଁଥିରେ ଭାରତ, ତୁର୍କୀ ଓ ସଂଯୁକ୍ତ ଆରବ ଏମିରେଟ୍ସର ପତାକା ଲଗାଯାଇଥିବା ଜାହାଜ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଏହି ସଂସ୍ଥାଗୁଡ଼ିକ ସହିତ ଯେକୌଣସି ଆର୍ଥିକ କାରବାର ଏବେ ସମ୍ପୂର୍ଣ୍ଣ ବେଆଇନ ତଥା ଆମେରିକାର ଆଇନ ଅନୁଯାୟୀ ଦଣ୍ଡନୀୟ ବିବେଚନା କରାଯିବ ବୋଲି ଘୋଷଣାରେ କୁହାଯାଉଛି।



