ମଧ୍ୟପ୍ରାଚ୍ୟରେ ଦୀର୍ଘ ସାମରିକ ମୁତୟନ ମଧ୍ୟରେ ଜାହାଜରୁ ସମୁଦ୍ରକୁ ଡେଇଁବାକୁ ଆମେରିକୀୟ ନାବିକଙ୍କ ଉଦ୍ୟମ

ବିମାନବାହୀ ଜାହାଜରେ ପ୍ରାୟ ୫,୦୦୦ ନାବିକ ୨୫୦ ଦିନ ଧରି ଲଗାତାର ସମୁଦ୍ରରେ ରହିଛନ୍ତି

Samaya Live Desk Picture
Published On

ୱାସିଂଟନ୍‌: ଇରାନ ବିରୋଧରେ ଡୋନାଲ୍ଡ ଟ୍ରମ୍ପଙ୍କ ଦୀର୍ଘକାଳୀନ ଯୁଦ୍ଧ ପାଇଁ ଏବେ ଆମେରିକୀୟ ନାବିକମାନେ ମାନସିକ ବିଷାଦଗ୍ରସ୍ତ ହୋଇ ଯାଇଛନ୍ତି। ଫଳରେ ସେମାନେ ନିଜ ଜୀବନ ନେବା ପାଇଁ ସମୁଦ୍ରକୁ ଡେଇଁ ପଡୁଛନ୍ତି। ଯୁଦ୍ଧବିମାନ ବାହକ ଜାହାଜ ୟୁଏସଏସ ଆବ୍ରାହମ ଲିଙ୍କନରେ ନିୟୋଜିତ କିଛଚ ନାବିକ ସମୁଦ୍ରକୁ ଡେଇଁବାକୁ ଚେଷ୍ଟା କରିଥିବା ଖବର ମିଳିଛି। ସାମରିକ ପରିବାର ଓ ଆମେରିକୀୟ ସାଂସଦମାନେ ଚେତାବନୀ ଦେଇଛନ୍ତି ଯେ ଜାହାଜର ପରିସ୍ଥିତି ଏବେ ସହନଶୀଳତାର ସୀମାରେ ପହଞ୍ଚିଛି। ରିପୋର୍ଟ ଅନୁସାରେ, ଜାହାଜର କିଛି ନାବିକ ସମୁଦ୍ରକୁ ଡେଇଁବା ବିଷୟରେ ଚିନ୍ତା କରିଥିବା କିମ୍ବା ଚେଷ୍ଟା କରିଥିବା ଏକାଧିକ ଘଟଣା ଘଟିଛି। ଅନ୍ତତଃ ଜଣେ ନାବିକଙ୍କୁ ଅନ୍ୟ ଜଣେ ନାବିକ ସମୁଦ୍ରକୁ ଡେଇଁବାରୁ ରୋକିଥିଲେ। ଜାହାଜରେ ଥିବା କିଛି ନାବିକଙ୍କ ମଧ୍ୟରେ ଆତ୍ମହତ୍ୟା ସମ୍ପର୍କିତ ଚିନ୍ତା ଥିବା ନେଇ ମଧ୍ୟ ପରିବାରଗୁଡ଼ିକ ଚିନ୍ତା ପ୍ରକାଶ କରିଛନ୍ତି। ଗତ ଗୁରୁବାର ସାନ୍ ଡିଏଗୋରେ ପ୍ରାୟ ୨୦୦ ଜଣ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ହୋଇଥିବା ଟାଉନ୍ ହଲ୍ ବୈଠକରେ ପରିବାରଗୁଡ଼ିକ ନୌସେନାର ନେତୃତ୍ୱ ସମ୍ମୁଖରେ ସିଧାସଳଖ ନିଜ ଚିନ୍ତା ପ୍ରକାଶ କରିଥିଲେ। ସେମାନଙ୍କ ମଧ୍ୟରେ କାର୍ଯ୍ୟବାହକ ନୌସେନା ସଚିବ ହଙ୍ଗ କାଓ ଓ ବରିଷ୍ଠ ନୌସେନା ଅଧିକାରୀମାନେ ଥିଲେ। ଜଣେ ନାବିକଙ୍କ ପତ୍ନୀ ଅଧିକାରୀମାନଙ୍କୁ କହିଥିଲେ ଯେ ତାଙ୍କ ସ୍ୱାମୀ ସେହି ଦିନ ତାଙ୍କୁ ମେସେଜ୍ କରି କହିଥିଲେ, ‘ଆଶା କରୁଛି ମୁଁ ଆସନ୍ତାକାଲି ଉଠିବି ନାହିଁ।‘ ଆଉ ଜଣେ ପରିବାର ସଦସ୍ୟ ନୌସେନା ନେତୃତ୍ୱ ବିରୋଧରେ ଅଭିଯୋଗ କରି କହିଥିଲେ ଏହା ଆମ ଓ ନେତୃତ୍ୱ ମଧ୍ୟରେ ଥିବା ଭରସା ଭାଙ୍ଗି ଦେଇଛି। ଅନ୍ୟ ଜଣେ କହିଛନ୍ତି, ତାଙ୍କ ସ୍ୱାମୀଙ୍କ ମୁତୟନ ଅବଧି ବାରମ୍ବାର ବଢ଼ାଯିବା ପରେ ସେ ସମୁଦ୍ରକୁ ଡେଇଁବାକୁ ଚେଷ୍ଟା କରିଥିଲେ। ସେ କହିଥିଲେ, ‘ସେ ଭୟଭୀତ। ସେ ଭାବୁଛନ୍ତି ଯେ ତାଙ୍କୁ ଅସମ୍ମାନଜନକ ଭାବେ ସେବାରୁ ବରଖାସ୍ତ କରାଯିବ। କେବଳ ସେ ମାନସିକ ଭାବେ ଥକିପଡ଼ିଥିବାରୁ ତାଙ୍କ ୧୩ ବର୍ଷର କ୍ୟାରିୟର ଏମିତି ନଷ୍ଟ ହୋଇଯାଉଛି।

Tags: