ମଧ୍ୟପ୍ରାଚ୍ୟ ଉତ୍ତେଜନା ତେଜିଲା, ଇରାନକୁ ଯୁଦ୍ଧଜାହାଜ ପଠାଇଲା ଆମେରିକା
ତେହେରାନ: ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା ତେଜିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନକୁ ନେଇ ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଆଶଙ୍କା ଅଧିକ ବଢ଼ିଯାଇଛି। ଆମେରିକା ଇରାନ ଅଭିମୁଖେ ବହୁତ ବଡ଼ ସୈନ୍ୟ ଦଳ ପଠାଇଛି ବୋଲି ଟ୍ରମ୍ପ ଗୁରୁବାର କହିଛନ୍ତି। ଟ୍ରମ୍ପଙ୍କ ବୟାନ ଉପରେ ଇରାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ଇରାନର ରିଭୋଲ୍ୟୁସନାରୀ ଗାର୍ଡସ୍ର କମାଣ୍ଡର ମଧ୍ୟ ଆମେରିକାକୁ ଚେତାବନୀ ଦେଇ କହିଛନ୍ତି ଯେ, ସେମାନେ ମଧ୍ୟ ଟ୍ରିଗର୍ ଉପରେ ଆଙ୍ଗୁଠି ରଖି ଅପେକ୍ଷା କରିଛନ୍ତି। ଡାଭୋସଠାରେ ବିଶ୍ବ ଅର୍ଥନୈତିକ ଫୋରମ୍ରୁ ଫେରିବା ସମୟରେ ଟ୍ରମ୍ପ ଏୟାରଫୋର୍ସ ୱାନରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ କଥାବାର୍ତ୍ତା କରି କହିଥିଲେ, ‘ଇରାନ ଅଭିମୁଖେ ଏକ ବହୁତ ବଡ଼ ସୈନ୍ୟଦଳ ଅଗ୍ରସର ହେଉଛି। ଆମେରିକା ସତର୍କତାମୂଳକ ପଦକ୍ଷେପ ଭାବେ ଇରାନ ଅଭିମୁଖେ ଏହି ବିଶାଳ ସୈନ୍ୟଦଳ ପଠାଇଛି। ମୁଁ ଚାହୁନି ସେଠାରେ କିଛି ହେଉ, କିନ୍ତୁ ଆମେ ତାଙ୍କ ଉପରେ ଖୁବ୍ ନିକଟରୁ ନଜର ରଖିଛୁ। ଟ୍ରମ୍ପଙ୍କ ଏହି ବୟାନ ପରେ ଇରାନର ଗାର୍ଡସ କମାଣ୍ଡର ଜେନେରାଲ ମହମ୍ମଦ ପାକପୋର ଇସ୍ରାଏଲ ଓ ଆମେରିକାକୁ ଚେତାବନୀ ଦେଇ କହିଛନ୍ତି ଯେ, ଐତିହାସିକ ଅନୁଭବ ଓ ଗତବର୍ଷ ହୋଇଥିବା ୧୨ ଦିନିଆ ଯୁଦ୍ଧରୁ ସେମାନଙ୍କୁ ଶିକ୍ଷା ନେବା ଉଚିତ, ଯଦ୍ବାରା ସେମାନେ କୌଣସି ଭ୍ରମରେ ରହିବେ ନାହିଁ। ଏଥର ସେମାନଙ୍କୁ ଆହୁରି ଅଧିକ ଭୟଙ୍କର ପରିଣାମର ଶିକାର ହେବାକୁ ପଡ଼ିବ। ଏଥର ସେମାନେ ପୂର୍ବାପେକ୍ଷା ଅଧିକ ପ୍ରସ୍ତୁତ ଥିବା କହିଛନ୍ତି। ଇରାନ ସଂଯୁକ୍ତ କମାଣ୍ଡ ମୁଖ୍ୟାଳୟର ନେତୃତ୍ବ ନେଉଥିବା ଜେନେରାଲ ଅଲି ଅବଦୁଲ୍ଲାହି ଅଲିବାଦୀ ଚେତାବନୀ ଦେଇ କହିଛନ୍ତି, ଯଦି ଆମେରିକା ଇରାନ ଉପରେ ଆକ୍ରମଣ କରେ, ତେବେ ଆମେରିକାର ସମସ୍ତ ଠିକଣା ଇରାନର ସଶସ୍ତ୍ରବାହିନୀ ପାଇଁ ବୈଧ ଲକ୍ଷ୍ୟ ହେବ।



