ମୋଜତବା ଖେମିନିଙ୍କ ସଂପର୍କରେ ସୂଚନା ଦେଲେ ୧୦ ନିୟୁତ ଡଲାର ପୁରସ୍କାର
ୱାସିଂଟନ: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତବା ଖେମିନି ଏବଂ ଅନ୍ୟାନ୍ୟ ଶୀର୍ଷ ଅଧିକାରୀଙ୍କ ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କୁ ଆମେରିକା ୧୦ ମିଲିୟନ୍ ଡଲାର ପୁରସ୍କାର ଦେବାକୁ ଘୋଷଣା କରିଛି। ଆମେରିକା ବିଦେଶ ବିଭାଗ ପକ୍ଷରୁ ଏହି ବଡ଼ ଘୋଷଣା ପରେ ସରଗରମ ଚର୍ଚ୍ଚା ଚାଲିଛି। ଇରାନର ସମସ୍ତ ବଡ଼ ନେତା ଆକ୍ରମଣ ଭୟରେ ଗୁପ୍ତ ସ୍ଥାନ ବା ଭୂତଳ ବଙ୍କରକୁ ଚାଲିଯାଇଥିବା ଖବର ମିଳିଛି।
ଆମେରିକାର ଏହି ପୁରସ୍କାର କାର୍ଯ୍ୟକ୍ରମ ମାଧ୍ୟମରେ ଇରାନର ନେତୃତ୍ୱକୁ ସମ୍ପୂର୍ଣ୍ଣ ଭାବେ ଦୁର୍ବଳ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମୋଜତାବାଙ୍କୁ ସର୍ବୋଚ୍ଚ ନେତା ଭାବେ ନିଯୁକ୍ତ କରାଯାଇଥିଲା, କିନ୍ତୁ ସେ ବର୍ତ୍ତମାନ କେଉଁଠାରେ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଇରାନର ଶୀର୍ଷ ନେତାମାନଙ୍କ ସଂପର୍କରେ ଏବେ କୌଣସି ତଥ୍ୟ ସାମ୍ନାକୁ ଆସୁନାହିଁ। ଏହି ପୁରସ୍କାର ରାଶି ଘୋଷଣା କରି ଆମେରିକା, ଇରାନ ଭିତରୁ ଗୁପ୍ତ ତଥ୍ୟ ହାସଲ କରିବାକୁ ଏବଂ ବିରୋଧୀଙ୍କୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଛି।



