ଉତ୍ତରପ୍ରଦେଶ କୁମ୍ଭାରଙ୍କୁ ୧.୨ କୋଟି ଟଙ୍କାର ଜିଏସ୍‌ଟି ନୋଟିସ୍‌

ଉତ୍ତରପ୍ରଦେଶ କୁମ୍ଭାରଙ୍କୁ ୧.୨ କୋଟି ଟଙ୍କାର ଜିଏସ୍‌ଟି ନୋଟିସ୍‌

ଲକ୍ଷ୍ନୌ:  ଉତ୍ତରପ୍ରଦେଶର ରାଏବରେଲିରେ ପେଟପାଟଣା ପାଇଁ ମାଟିପାତ୍ର ବିକ୍ରି କରୁଥିବା ଜଣେ କୁମ୍ଭାର ୧.୨୫ କୋଟି ଟଙ୍କାର ଜିଏସ୍‌ଟି ( ସାମଗ୍ରୀ ଓ ସେବା କର) ନୋଟିସ୍‌ ପାଇଛନ୍ତି। ରାଏବରେଲି ହରଚାନ୍ଦପୁର ବାସିନ୍ଦା ମହମ୍ମଦ ସୟିଦ କହିଛନ୍ତି, ସେ କେବେ ବି କମ୍ପାନି ପରିଚାଳନା କରିନାହାନ୍ତି ଯାହା ନୋଟିସ୍‌ରେ ଦର୍ଶାଯାଇଛି। ସେ ସନ୍ଦେହ କରୁଛନ୍ତି ଯେ ତାଙ୍କ ନାମରେ ଜାଲିଆତି କରିବାପାଇଁ ତାଙ୍କ ପ୍ୟାନ୍‌ ଏବଂ ଆଧାର ବିବରଣୀକୁ ଅପବ୍ୟବହାର କରାଯାଇଛି। ୫ ଜଣ ସଦସ୍ୟଙ୍କୁ ନେଇ ସୟିଦଙ୍କ ପରିବାର। ସେ ମାଟି ପାତ୍ର ତିଆରି କରି ଏବଂ ବିକ୍ରି କରି ପେଟ ପୋଷନ୍ତି। ତେବେ ତାଙ୍କ ନିକଟକୁ ୧.୨୫ କୋଟି ଟଙ୍କାର ଜିଏସ୍‌ଟି ନୋଟିସ ଆସିବା ଘଟଣା‌ ଏକ ଚର୍ଚ୍ଚାର ବିଷୟ। ନୋଟିସ୍‌ ଅନୁଯାୟୀ ତାଙ୍କୁ ଯେଉଁ ୪ କମ୍ପାନି ସହ ଯୋଡ଼ାଯାଇଛି ତାହା ପାଟନାରୁ ପରିଚାଳିତ । ସୟିଦ କହିଛନ୍ତି, ଆମେ ଗରିବ ଲୋକ। ମାତ୍ର ଅଳ୍ପ କିଛି ଟଙ୍କାରେ ଆମ ସଂସାର ଚାଲିଛି। ଆମେ ମାଟି ପାତ୍ର ତିଆରି କରୁଛୁ ଏବଂ କୁହ୍ଲାଡ଼ ବିକୁଛୁ। ହୋଟେଲ ମାନଙ୍କରେ ପ୍ରତି ୧୦୦ଟି ବିକ୍ରିରୁ ଆମକୁ ୧୦ରୁ ୨୦ ଟଙ୍କା ମିଳୁଛି। ଏମିତି ଆମ ପରିବାର ଚାଲିଛି। ସୟିଦଙ୍କ ଅନୁଯାୟୀ ଅନେକ ବର୍ଷ ପୂର୍ବେ ଜଣେ ଗ୍ରାମବାସୀ ତାଙ୍କୁ ଏକ ଲୋନ୍‌ ପାଇଁ ଆବେଦନ କରିବାକୁ ଏକ ସ୍ଥାୟୀ ଆକାଉଣ୍ଟ ନମ୍ବର ଏବଂ ଆଧାର କାର୍ଡ ପାଇଁ ସହଯୋଗ କରିଥିଲେ। ଏହାପରେ ସେ କେବେ ବି ଲୋନ୍‌ ପାଇପାରିନାହାନ୍ତି। କିନ୍ତୁ ପରେ ସେ ତାଙ୍କ କାଗଜପତ୍ର ମଧ୍ୟ ହଜାଇଦେଲେ। କିନ୍ତୁ ଏହି ହଜିଯାଇଥିବା କାଗଜପତ୍ରର ଅପ୍ୟବହାର କରାଯାଇଛି ବୋଲି ସେ ବିଶ୍ବାସ କରୁଛନ୍ତି।  

ସମ୍ବନ୍ଧିତ ଖବର ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ

Tags: