ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକଙ୍କୁ ମାଡ଼, ମୁଣ୍ଡ ଲଣ୍ଡା କରି ଉଲଗ୍ନ ଅବସ୍ଥାରେ ଗାଁରେ ବୁଲାଇଲେ; ୧୦ ଗିରଫ
ଲକ୍ଷ୍ନୌ : ଉତ୍ତରପ୍ରଦେଶର ସୋନଭଦ୍ରରେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ୨୭ ବର୍ଷୀୟ ଜଣେ ଯୁବକଙ୍କୁ ଆକ୍ରମଣ କରି ଉଲଗ୍ନ ଅବସ୍ଥାରେ ଗାଁରେ ବୁଲାଯାଇଥିବା ଅଭିଯୋଗ ହୋଇଛି। ଅଗଷ୍ଟ ୬ ତାରିଖରେ ଏହି ଘଟଣା ଘଟିଛି। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଛି। ଭାଇରାଲ ଭିଡିଓଟି ବଭନୀ ଅଞ୍ଚଳର ବୋଲି କୁହାଯାଉଛି। ଏଥିରେ ଯୁବକଙ୍କୁ ମାଡ଼ ମରାଯାଉଥିବା, ତାଙ୍କ ମୁଣ୍ଡ ଲଣ୍ଡା କରାଯାଉଥିବା ଏବଂ ଉଲଗ୍ନ ଅବସ୍ଥାରେ ଗାଁରେ ବୁଲାଯାଉଥିବା ଦେଖାଯାଉଛି। ଅଭିଯୁକ୍ତମାନେ ତାଙ୍କ ବେକରେ ଜୋତା ମାଳା ମଧ୍ୟ ପକାଇଥିବା ଅଭିଯୋଗ ହୋଇଛି। ଏଥସହ ଯୁବକଙ୍କ ଗୋପନୀୟ ଅଙ୍ଗରେ ପଥର ବାନ୍ଧି ତାଙ୍କୁ ଅଧିକ ନିର୍ଯାତନା ଦିଆଯାଇଥିବା ମଧ୍ୟ ଅଭିଯୋଗ ରହିଛି। ଇକଡିରି ଅଞ୍ଚଳର ବାସିନ୍ଦା ଯୁବକଙ୍କ ଭାଇ ସରଜୁ ପ୍ରସାଦ ପୁଲିସରେ ଅଭିଯୋଗ କରି ତାଙ୍କ ଭାଇଙ୍କୁ ଅଭିଯୁକ୍ତମାନେ ଆକ୍ରମଣ କରିଥିବା କହିଛନ୍ତି। ପରିବାରର ସଦସ୍ୟମାନେ ହସ୍ତକ୍ଷେପ କରି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ସମୟରେ ଅଭିଯୁକ୍ତମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିବା ସହ ହତ୍ୟା କରିବାର ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ଏକ କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ପଠାଇଥିଲେ।ଏହି ଘଟଣାରେ ପୁଲିସ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭାଇରାଲ ହୋଇଥିବା ଭିଡିଓକୁ ଆଧାର କରି ପୁଲିସ ଘଟଣାର ତଦନ୍ତ କରୁଛି।




