ଉତ୍ତରପ୍ରଦେଶରେ ଆଇନଜୀବୀଙ୍କୁ ହତ୍ୟା
ମିର୍ଜାପୁର: ଉତ୍ତରପ୍ରଦେଶର ମିର୍ଜାପୁରରେ ଆଜି ସ୍ପଷ୍ଟ ଦିବାଲୋକରେ ଏକ ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ବାଇକ୍ରେ ୨ଜଣ ଦୁର୍ବୃତ୍ତ ଆସି ଜଣେ ଆଇନଜୀବୀଙ୍କ ଉପରେ ଗୁଳି ଚଳାଇବାପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତେବେ ଏହି ଗୁଳିକାଣ୍ଡ ଘଟଣା କେବଳ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଶନିବାର ସକାଳେ ଏହି ଘଟଣା ଘଟିଛି ଏବଂ ସିସିଟିଭି ଭିଡିଓରୁ ଦେଖିବାକୁ ମିଳିଛି ଯେ ୨ ଜଣ ବ୍ୟକ୍ତି ପ୍ରାତଃ ଭ୍ରମଣ କରୁଥିବା ଜଣେ ବରିଷ୍ଠ ଆଇନଜୀବୀ ରାଜୀବ ସିଂହଙ୍କ ପାଖକୁ ଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଆଇନଜୀବୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତେବେ ଆକ୍ରମଣକାରୀ ସେଠାରୁ ଦୌଡ଼ି ମୋଟରସାଇକେଲ୍ରେ ବସି ପଳାଇବାପାଇଁ ଚେଷ୍ଟା କରିଥିବାବେଳେ ଠିକ୍ ସମୟରେ ମୋଟରସାଇକେଲ୍ଟି ଷ୍ଟାର୍ଟ ହୋଇନଥିଲା। ଜଣେ ଆକ୍ରମଣକାରୀ ମୋଟରସାଇକେଲ୍ ଷ୍ଟାର୍ଟ କରିବାପାଇଁ ଚେଷ୍ଟା କରିବା ସମୟରେ କିଛି ଲୋକ ତାଙ୍କ ପାଖକୁ ଯାଇଥିଲେ। କିନ୍ତୁ ଆକ୍ରମଣକାରୀ ବନ୍ଧୁକ ଦେଖାଇବାରୁ କେହି ବି ସାହସ କରି ସେମାନଙ୍କ ନିକଟକୁ ଯାଇନଥିଲେ। କିଛି ସମୟ ଚେଷ୍ଟା କରିବାପରେ ପରିଶେଷରେ ଗାଡ଼ିଟି ଷ୍ଟାର୍ଟ ହୋଇଥିଲା ଏବଂ ୨ ଜଣ ବ୍ୟକ୍ତି ସେଠାରୁ ଚାଲି ଯାଇଥିଲେ। ପରେ ଶହ ଶହ ଲୋକ ଉକ୍ତ ସ୍ଥାନରେ ରୁଣ୍ଡ ହୋଇଥିଲେ। ପୁଲିସ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରିଛି ଏବଂ ଅଭିଯୁକ୍ତଙ୍କୁ ଗିରଫ କରିବାପାଇଁ ୫ଟି ଟିମ୍ ଗଠନ ହୋଇଛି।



