ରାଜ୍ୟସଭା ଟିକେଟ୍ ନମିଳିବାରୁ ବିଜେପି ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗଦେଲେ ୟୁପିର ପୂର୍ବତନ ମନ୍ତ୍ରୀ ଧର୍ମେନ୍ଦ୍ର କଶ୍ୟପ
ଲକ୍ଷ୍ନୌ : ବିଜେପି ନେତା ଧର୍ମେନ୍ଦ୍ର କୁମାର କଶ୍ୟପ ମଙ୍ଗଳବାର ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି। ଶାସକ ବିଜେପି ତାଙ୍କୁ ରାଜ୍ୟସଭା ଟିକେଟ୍ ଦେବାକୁ ମନା କରିବା ପରେ ତାଙ୍କର ରାଜନୈତିକ ଭବିଷ୍ୟତକୁ ନେଇ ଚାଲିଥିବା ଚର୍ଚ୍ଚାରେ ଏଥିସହ ଅନ୍ତ ଘଟିଛି। ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଜଣେ ପ୍ରମୁଖ ନେତା କଶ୍ୟପଙ୍କୁ ଦଳକୁ ସ୍ୱାଗତ କରିଛନ୍ତି। ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଶ୍ୟପଙ୍କ ଦଳକୁ ଫେରିବା ଏସ୍ପିକୁ ଅଧିକ ମଜଭୁତ କରିବ ବୋଲି ସେ କହିଛନ୍ତି। ଲକ୍ଷ୍ନୌରେ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଶ୍ୟପ କହିଥିଲେ ଯେ, ରାଜ୍ୟର ଲୋକମାନେ ବିଜେପି ସରକାରଙ୍କ ଉପରେ ଅସନ୍ତୁଷ୍ଟ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଖରାପ ଥିବାରୁ ଲୋକମାନେ ଏହି ସରକାରରେ ଅତିଷ୍ଠ ହୋଇପଡ଼ିଛନ୍ତି ବୋଲି ସେ ଦାବି କରିଥିଲେ। କଶ୍ୟପ ଆହୁରି ଅଭିଯୋଗ କରିଥିଲେ ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୁଲଡୋଜର ତାଙ୍କ ଜାତିର ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ ବରଂ ଗରିବ ଲୋକଙ୍କୁ ଟାର୍ଗେଟ୍ କରାଯାଉଛି। ପୂର୍ବତନ ମନ୍ତ୍ରୀ କଶ୍ୟପ ବିଜେପି ପକ୍ଷରୁ ରାଜ୍ୟସଭା ଟିକେଟ୍ ପାଇବା ଆଶା ରଖିଥିଲେ। କିନ୍ତୁ ଦଳ ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ସ୍ଥାନ ପାଇନଥିଲା।ବିଜେପି ବରେଲି ଜିଲ୍ଲାରୁ ରାଜ୍ୟ ମନ୍ତ୍ରୀ ଧର୍ମପାଲ ସିଂହ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କ ଝିଅ ଶ୍ରୁତି ଗଙ୍ଗୱାରଙ୍କୁ ପ୍ରାର୍ଥୀ କରିଥିଲା। ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ଅକ୍ଟୋବର ୭ ତାରିଖରେ କଶ୍ୟପ ଫେସବୁକ୍ରେ ସମୁଦ୍ର କୂଳରେ ସୂର୍ଯ୍ୟାସ୍ତର ଏକ ଫଟୋ ପୋଷ୍ଟ କରିଥିଲେ। ଏହା ସହିତ ସେ ଲେଖିଥିଲେ, ‘ଟାଟା ବାଏ-ବାଏ’। ଏହି ପୋଷ୍ଟ ପରେ ସେ ପୁଣିଥରେ ସମାଜବାଦୀ ପାର୍ଟିକୁ ଫେରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଉତ୍ତର ପ୍ରଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା ରୋହିଲଖଣ୍ଡର କଶ୍ୟପ ସମ୍ପ୍ରଦାୟର ଜଣେ ପ୍ରମୁଖ ରାଜନୈତିକ ପ୍ରତିନିଧି ଭାବେ ଧର୍ମେନ୍ଦ୍ର କଶ୍ୟପଙ୍କୁ ବିବେଚନା କରାଯାଏ। ସେ ୨୦୧୩ ମସିହା ମେ’ ମାସରେ ସମାଜବାଦୀ ପାର୍ଟି ଛାଡ଼ି ବିଜେପିରେ ଯୋଗଦେଇଥିଲେ। ସେ ୨୦୧୪ ଓ ୨୦୧୯ ମସିହାରେ ଆଁଓଲା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ତେବେ ୨୦୨୪ ମସିହାର ଲୋକସଭା ନିର୍ବାଚନରେ ସେ ଅଳ୍ପ ବ୍ୟବଧାନରେ ପରାଜିତ ହୋଇଥିଲେ। ବିଜେପିର ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ନାମ ନଥିବାରୁ କଶ୍ୟପ ଦଳ ଛାଡ଼ିଛନ୍ତି। ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କର ସମାଜବାଦୀ ପାର୍ଟିକୁ ପ୍ରତ୍ୟାବର୍ତ୍ତନ ରାଜ୍ୟର ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚାକୁ ଆହୁରି ଜୋରଦାର କରିଛି।




