ୟୁପି ଭୋଟର ତାଲିକାରେ ଯୋଡ଼ିହେଲେ ୧୮.୮୪ ଲକ୍ଷ ନୂଆ ଭୋଟର, ମୋଟ ସଂଖ୍ୟା ୧୩.୫୮ କୋଟି ଟପିଲା
ଲକ୍ଷ୍ନୌ: ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ରାଜ୍ୟର ଭୋଟର ତାଲିକାକୁ ନେଇ ଆସିଛି ଏକ ବଡ଼ ତଥ୍ୟ। ପ୍ରକାଶ ପାଇଛି ୨୦୨୭ ବିଧାନସଭା ନିର୍ବାଚନ ପାଇଁ ଚିଠା ଭୋଟର ତାଲିକା। ଏଥିରେ ମୋଟ ଭୋଟରଙ୍କ ସଂଖ୍ୟା ୧୩ କୋଟି ୫୮ ଲକ୍ଷ ୬୮ ହଜାର ୯୦୫ରେ ପହଞ୍ଚିଛି। ଏପ୍ରିଲ ୧୦ ତାରିଖରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ତୁଳନାରେ ଏଥିରେ ୧୮ ଲକ୍ଷ ୮୪ ହଜାର ୧୧୩ ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି। ମଙ୍ଗଳବାର ଲକ୍ଷ୍ନୌର ଲୋକଭବନଠାରେ ଏହି ସୂଚନା ଦେଇଛନ୍ତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ନବଦୀପ ରିନୱା।ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ସ୍ପେଶାଲ ସମରି ରିଭିଜନ୍) ୨୦୨୭ ଅଧୀନରେ ପ୍ରସ୍ତୁତ ଏହି ଚିଠା ତାଲିକାରେ ୭ କୋଟି ୩୮ ଲକ୍ଷ ୫୮ ହଜାର ୫୧୦ ଜଣ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୬ କୋଟି ୨୦ ଲକ୍ଷ ୬ ହଜାର ୩୫୩। ସେହିପରି ୪ ହଜାର ୪୨ ଜଣ ତୃତୀୟ ଲିଙ୍ଗୀ ଭୋଟର ଏହି ତାଲିକାରେ ସ୍ଥାନ ପାଇଛନ୍ତି। ୧୮ରୁ ୧୯ ବର୍ଷ ବୟସର ଯୁବ ଭୋଟରଙ୍କ ସଂଖ୍ୟା ରହିଛି ୧୧ ଲକ୍ଷ ୮୩ ହଜାର ୩୫୨। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ଏପ୍ରିଲରେ ପ୍ରକାଶିତ ତାଲିକା ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ୧୦ ଲକ୍ଷ ୯୬ ହଜାର ୮୨୮ ବୃଦ୍ଧି ପାଇଛି। ସେହିପରି ପୁରୁଷ ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୮୭ ହଜାର ୪୪୯ ବଢ଼ିଛି। ଅନ୍ୟପକ୍ଷରେ ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୧୬୪ ହ୍ରାସ ପାଇଛି। ତେବେ ଯୁବ ଭୋଟରଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ଦେଖାଦେଇଛି। ଏପ୍ରିଲରେ ୧୮ରୁ ୧୯ ବର୍ଷ ବୟସର ଭୋଟରଙ୍କ ସଂଖ୍ୟା ୧୭ ଲକ୍ଷ ୬୩ ହଜାର ୩୬୦ ଥିବାବେଳେ ନଭେମ୍ବରରେ ଏହା ୧୧ ଲକ୍ଷ ୮୩ ହଜାର ୩୫୨କୁ ଖସିଆସିଛି। ଅର୍ଥାତ୍ ୫ ଲକ୍ଷ ୮୦ ହଜାର ୮ ଜଣ ହ୍ରାସ ପାଇଛନ୍ତି। ତେବେ ଭୋଟର ତାଲିକାରେ ପ୍ରତି ୧ ହଜାର ପୁରୁଷଙ୍କ ପିଛା ମହିଳାଙ୍କ ଅନୁପାତ ୮୩୪ରୁ ବୃଦ୍ଧି ପାଇ ୮୪୦ ହୋଇଛି। ସେହିପରି ଜନସଂଖ୍ୟା ତୁଳନାରେ ଭୋଟରଙ୍କ ଅନୁପାତ ୫୫.୧୭ ପ୍ରତିଶତରୁ ସାମାନ୍ୟ ବୃଦ୍ଧି ପାଇ ୫୫.୯୫ ପ୍ରତିଶତରେ ପହଞ୍ଚିଛି। ଚିଠା ଭୋଟର ତାଲିକା ପ୍ରକାଶ ପରେ ନଭେମ୍ବର ୧୭ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରିବାକୁ ସମୟ ଦିଆଯାଇଛି। ଯୋଗ୍ୟ ନାଗରିକମାନେ ନିଜ ନାମ ଯୋଡ଼ିବା, ଅଯୋଗ୍ୟ ନାମ ହଟାଇବା କିମ୍ବା ତାଲିକାରେ ଥିବା ତଥ୍ୟ ସଂଶୋଧନ ପାଇଁ ଯଥାକ୍ରମେ ଫର୍ମ-୬, ଫର୍ମ-୭ ଓ ଫର୍ମ-୮ ମାଧ୍ୟମରେ ଆବେଦନ କରିପାରିବେ। ଡିସେମ୍ବର ୨୮ ସୁଦ୍ଧା ସମସ୍ତ ଦାବି ଓ ଆପତ୍ତିର ସମାଧାନ କରାଯିବ। ଏହାପରେ ୨୦୨୭ ଜାନୁଆରି ୪ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।




