ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମା’ଙ୍କ ପରଲୋକ
ଡେରାଡୁନ୍: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମା’ ସାବିତ୍ରୀ ଦେବୀଙ୍କର ଶୁକ୍ରବାର ପରଲୋକ ଘଟିଛି। ଉତ୍ତରାଖଣ୍ଡର ପୌଡ଼ି ଗଡ଼ୱାଲ ଜିଲ୍ଲା ଅନ୍ତର୍ଗତ ତାଙ୍କ ପୈତୃକ ଗାଁ ପଞ୍ଚୁରଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ପୌଡ଼ି ଗଡ଼ୱାଲର ଏସ୍ଏସ୍ପି ସର୍ବେଶ ପନୱାର ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ଶନିବାର ହରିଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ହେବାର ସମ୍ଭାବନା ରହିଛି। ସାବିତ୍ରୀ ଦେବୀଙ୍କ ବିୟୋଗରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଗଭୀର ଶୋକପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଏକ ଶୋକବାର୍ତ୍ତା ଜରିଆରେ ସେ କହିଛନ୍ତି, ମା’ଙ୍କ ସ୍ନେହ, ଆଶୀର୍ବାଦ ଓ ମମତା ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ। ତାଙ୍କ ବିୟୋଗ ପରିବାର ପାଇଁ ଅପୂରଣୀୟ କ୍ଷତି। ଏହି ଦୁଃଖଦ ସମୟରେ ଯୋଗୀ ଆଦିତ୍ୟନାଥ ଓ ତାଙ୍କ ପରିବାରକୁ ଏହି ଦୁଃଖ ସହିବା ପାଇଁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି।
Tags:




