ବିରୋଧୀଙ୍କ ଚାପ ମଧ୍ୟରେ ୨୪ ଘଣ୍ଟା ମଧ୍ୟରେ ନିର୍ବାଚନ ଆୟୋଗର ୨ଟି ବଡ଼ ପଦକ୍ଷେପ

ବିରୋଧୀଙ୍କ ଚାପ ମଧ୍ୟରେ ୨୪ ଘଣ୍ଟା ମଧ୍ୟରେ ନିର୍ବାଚନ ଆୟୋଗର ୨ଟି ବଡ଼ ପଦକ୍ଷେପ
Samaya Live Desk Picture
Published On
ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛି। ପ୍ରଥମେ, ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସଏସଆର୍‌) କରିବାକୁ ଘୋଷଣା କରିଛି। ଦ୍ୱିତୀୟତଃ, ପ୍ରଥମ ଥର ପାଇଁ ରାଜନୈତିକ ଦଳଗୁଡ଼ିକୁ ପଢ଼ିହେଉଥିବା ପିଡିଏଫ୍‌ ଫର୍ମାଟ୍‌ରେ ଭୋଟର ତାଲିକାର ସଫ୍ଟ କପି ଦେବାକୁ ସମ୍ମତି ଜଣାଇଛି। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନକୁ ନେଇ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ତୀବ୍ର ହେଉଥିବା ସମୟରେ ଏହି ଘୋଷଣା ଆସିଛି। ଉଲ୍ଲେଖଯୋଗ୍ୟ ଏସଏସ୍ଆର ହେଉଛି ଭୋଟର ତାଲିକାକୁ ନିୟମିତ ଭାବେ ଅଦ୍ୟତନ କରିବାର ଏକ ପ୍ରକ୍ରିୟା। ଏହା ମାଧ୍ୟମରେ ନୂଆ ଭୋଟର, ବିଶେଷକରି ୧୮ ବର୍ଷ ବୟସରେ ପହଞ୍ଚୁଥିବା ଯୁବକ-ଯୁବତୀଙ୍କ ନାମ ଭୋଟର ତାଲିକାରେ ଯୋଡ଼ାଯାଏ। ନିର୍ବାଚନ ଆୟୋଗ ଏସ୍‌ଆଇଆର ପ୍ରକ୍ରିୟା ଚାଲୁଥିବାରୁ ଏସଏସ୍‌ଆରକୁ ସ୍ଥଗିତ ରଖିଥିଲା। ଏହା ଫଳରେ ୨୦୨୪-୨୫ ପରଠାରୁ ଅନେକ ନୂଆ ଯୋଗ୍ୟ ଭୋଟର ତାଲିକାରେ ନାମ ଯୋଡ଼ିବାର ସୁଯୋଗ ପାଇନଥିବା ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହା ଏକ ନିୟମିତ ଓ ବାର୍ଷିକ ପ୍ରକ୍ରିୟା। ନୂଆ ଭୋଟରଙ୍କ ନାମ ଯୋଡ଼ିବା ଏବଂ ତାଲିକା ଅଦ୍ୟତନ କରିବା ଏହାର ଉଦ୍ଦେଶ୍ୟ। ଏଥିରେ ପୂର୍ବରୁ ହୋଇଥିବା ସ୍ବତନ୍ତ୍ର ସଘନ ସଂଶୋଧନ ସହ ନିଜକୁ ମ୍ୟାପ୍ କରିବାର ସର୍ତ୍ତ ନାହିଁ ଏବଂ ସାଧାରଣତଃ ବିଏଲ୍‌ଓ ମାନଙ୍କ ଘରକୁ ଘର ଯାଇ ଯାଞ୍ଚ କରିବା ଆବଶ୍ୟକ ହୁଏନାହିଁ। ଅନ୍ୟପକ୍ଷେ ଏସ୍‌ଆଇଆର ହେଉଛି ଏକ ଅଧିକ ବ୍ୟାପକ ଯାଞ୍ଚ ପ୍ରକ୍ରିୟା। ଏଥିରେ ନାଗରିକତା ସମ୍ବନ୍ଧୀୟ ଦସ୍ତାବିଜ କିମ୍ବା ପୂର୍ବ ଭୋଟର ତାଲିକା ସହ ତଥ୍ୟ ମେଳ କରିବା ଭଳି ପଦକ୍ଷେପ ରହିଥାଏ। ନିର୍ବାଚନ ଆୟୋଗ ପୁଣି ନିୟମିତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ଓ ପଞ୍ଜାବ ଭଳି ନିର୍ବାଚନ ହେବାକୁ ଥିବା ରାଜ୍ୟ ମଧ୍ୟ ଏହି ପ୍ରଥମ ପର୍ଯ୍ୟାୟରେ ସାମିଲ ଅଛନ୍ତି। ତେବେ, ଏହାର ଅର୍ଥ ନୁହେଁ ଯେ ଏସ୍‌ଆଇଆର ପ୍ରକ୍ରିୟାରେ ବାଦ୍ ପଡ଼ିଥିବା ପ୍ରାୟ ୧୩ କୋଟି ଭୋଟର ସ୍ୱତଃସ୍ଫୂର୍ତ୍ତ ଭାବେ ପୁଣି ଭୋଟର ତାଲିକାରେ ସାମିଲ ହୋଇଯିବେ। କଂଗ୍ରେସ ସାଂସଦ ପି. ଚିଦାମ୍ବରମ ଏହି ଘୋଷଣାକୁ ସମାଲୋଚନା କରି କହିଛନ୍ତି ଯେ ବିରୋଧ ଏବଂ ସୁପ୍ରିମକୋର୍ଟଙ୍କ ନୋଟିସ୍ ପରେ ନିର୍ବାଚନ ଆୟୋଗ ନିଜ ନିଷ୍ପତ୍ତି ବଦଳାଇଛି। ତାଙ୍କ ମତରେ, ପ୍ରଥମେ ଅନେକ ନାମ ବାଦ୍ ଦେବା ପରେ ପୁଣି ଭୋଟରଙ୍କୁ ସାମିଲ କରିବା ପାଇଁ ଆଉ ଏକ ପ୍ରକ୍ରିୟା ଆରମ୍ଭ କରିବା ଫଳରେ ଅତିରିକ୍ତ ଖର୍ଚ୍ଚ ହେବ। ନିର୍ବାଚନ ଆୟୋଗର ଦ୍ୱିତୀୟ ପ୍ରମୁଖ ପଦକ୍ଷେପ ହେଉଛି, ସମସ୍ତ ରାଜନୈତିକ ଦଳକୁ ଭୋଟର ତାଲିକାର ମେସିନ୍‌-ରିଡେବଲ୍ ପିଡିଏଫ୍‌ ସଫ୍ଟ କପି ଦେବା। ଏହା ସହିତ, ଭୋଟର ତାଲିକାରେ କେଉଁ ନାମ ଯୋଡ଼ାଗଲା, କେଉଁ ନାମ କଟାଗଲା ଏବଂ କେଉଁ ତଥ୍ୟ ପରିବର୍ତ୍ତନ ହେଲା, ସେ ସମ୍ପର୍କିତ ତାଲିକା ମଧ୍ୟ ଦଳଗୁଡ଼ିକୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଦ୍ୱାରା ରାଜନୈତିକ ଦଳଗୁଡ଼ିକ ଭୋଟର ତାଲିକାକୁ ସହଜରେ ସର୍ଚ୍ଚ କରିପାରିବେ, ତଥ୍ୟ ବିଶ୍ଳେଷଣ କରିପାରିବେ ଏବଂ ସମ୍ଭାବ୍ୟ ତ୍ରୁଟି ଚିହ୍ନଟ କରିପାରିବେ।ଏହା ପୂର୍ବରୁ ନିର୍ବାଚନ ଆୟୋଗ କେବଳ ସ୍କାନ୍ କରାଯାଇଥିବା ଚିତ୍ର ଆକାରର ପିଡିଏଫ୍‌ ଦେଉଥିଲା। ସେହି ଫାଇଲ୍‌ରେ ଥିବା ନାମଗୁଡ଼ିକୁ ସିଧାସଳଖ ସର୍ଚ୍ଚ କରିବା କିମ୍ବା କପି କରିବା ସହଜ ନଥିଲା।
ଉଲ୍ଲେଖଯୋଗ୍ୟ ୨୦୧୮‌ରେ କଂଗ୍ରେସ ନେତା କମଳନାଥ ମଧ୍ୟ ପ୍ରଦେଶ ନିର୍ବାଚନ ପୂର୍ବରୁ ନକଲି ଓ ଦୋହରା ନାମ ଚିହ୍ନଟ କରିବା ପାଇଁ ପଢ଼ିହେଉଥିବା ଭୋଟର ତାଲିକା ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ ନିର୍ବାଚନ ଆୟୋଗ ଗୋପନୀୟତା ଓ ତଥ୍ୟର ଅପବ୍ୟବହାର ହେବାର ଆଶଙ୍କା ଦର୍ଶାଇ ଏହାକୁ ବିରୋଧ କରିଥିଲା।୨୦୨୫ରେ ରାହୁଲ ଗାନ୍ଧୀ ‘ଭୋଟ୍ ଚୋରି’ ଅଭିଯାନ ସମୟରେ ପୁଣି ଏହି ଦାବି ଉଠାଇଥିଲେ। ସେ ଅଭିଯୋଗ କରିଥିଲେ ଯେ ଚିତ୍ର ଆକାରର ପିଡିଏଫ ଯୋଗୁ ନକଲି କିମ୍ବା ସମାନ ନାମ ଥିବା ଭୋଟରଙ୍କୁ ଚିହ୍ନଟ କରିବା କଷ୍ଟକର ହେଉଛି। ଏସଆଇଆରକୁ ନେଇ ବିରୋଧ ତୀବ୍ର ହେବା ପରେ ନିର୍ବାଚନ ଆୟୋଗ ଏବେ ପଢ଼ିହେଉଥିବା ପିଡିଏଫ୍‌ ଦେବାକୁ ଘୋଷଣା କରିଛି। ଏହି ନିଷ୍ପତ୍ତିକୁ ନେଇ ଏନ୍‌ସିପି (ଏସ୍‌ପି) ବିଧାୟକ ଜିତେନ୍ଦ୍ର ଆହ୍ୱାଡ଼ ପ୍ରଶ୍ନ ଉଠାଇଛନ୍ତି ଯେ, ଯଦି ଏବେ ଏହି ଫର୍ମାଟ୍ ଦିଆଯାଇପାରୁଛି, ତେବେ ପୂର୍ବରୁ ଏହାକୁ ଦେବାକୁ ଆୟୋଗ କାହିଁକି ବିରୋଧ କରୁଥିଲା। ନିର୍ବାଚନ ଆୟୋଗର ଏହି ଦୁଇଟି ନିଷ୍ପତ୍ତି ବିରୋଧୀଙ୍କ ଚାପର ପରିଣାମ କି ନାହିଁ, ତାହା ନେଇ ରାଜନୈତିକ ମହଲରେ ପ୍ରଶ୍ନ ଉଠିପାରେ।
Tags: