ୱାସିଂଟନକୁ ନିଜ ବାୟୁସେନା ଘାଟି ବ୍ୟବହାର କରିବାକୁ ଅନୁମତି ଦେଲାନି ବ୍ରିଟେନ

ୱାସିଂଟନକୁ ନିଜ ବାୟୁସେନା ଘାଟି ବ୍ୟବହାର କରିବାକୁ ଅନୁମତି ଦେଲାନି ବ୍ରିଟେନ
Samaya Live Desk Picture
Published On

ଲଣ୍ଡନ:  ଇରାନକୁ ବିଭିନ୍ନ ଦିଗରୁ ଆକ୍ରମଣ କରିବା ‌‌ଯୋଜନାରେ ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଶକ୍ତି ସୁଦୃଢ଼ କରୁଥିବାବେଳେ ବ୍ରିଟେନର ଦକ୍ଷିଣ ଭାଗର ସ୍ବିଣ୍ଡନ ନିକଟରେ ଥିବା ବାୟୁସେନା ଘାଟିକୁ ଏଥିପାଇଁ ବ୍ୟବହାର କରିବାକୁ ଚାହୁଥିଲା। କିନ୍ତୁ ଇରାନ ଉପରେ ଆଗୁଆ ଆକ୍ରମଣ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ହେବ ବୋଲି କହି ବ୍ରିଟିଶ ସରକାର ଆମେରିକାର ଅନୁରୋଧକୁ ସ୍ବୀକାର କରିବାକୁ ମନା କରିଦେଇଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ କେଅର ଷ୍ଟାର୍ମରଙ୍କ ସରକାର ଆର୍‌ଏଏଫ୍‌ ଫେୟାରଫୋର୍ଡରୁ ଆମେରିକୀୟ ଦୂରଗାମୀ ବୋମା ମାଡ଼ ଅଭିଯାନକୁ ଅନୁମତି ଦେବାକୁ ମନା କରିଦେଇଥିବା ବିବିସି ପକ୍ଷରୁ କୁହାଯାଇଛି। ଇରାନ ନିକଟରେ ଆମେରିକା ଏକ ବିଶାଳ ସାମରିକ ବାହିନୀ ଗଠନ କରୁଥିବା ପୃଷ୍ଠଭୂମିରେ ଏହି ରିପୋର୍ଟ କରାଯାଇଛି। ଆମେରିକାର ଜୋରଦାର ପ୍ରସ୍ତୁତି ମଧ୍ୟପ୍ରାଚ୍ୟରେ ସାମରିକ ସଂଘର୍ଷର ଆଶଙ୍କା ବୃଦ୍ଧି କରିଛି।

ବ୍ରିଟେନର ଏହି ନିଷ୍ପତ୍ତି ଆମେରିକା ସହିତ ଏହାର ସମ୍ପର୍କକୁ ଅଧିକ ଖରାପ କରିପାରେ। ଭାରତ ମହାସାଗଗରେ ଥିବା ଚାଗୋସ୍ ଦ୍ୱୀପପୁଞ୍ଜକୁ ବ୍ରିଟେନ ମରିସସକୁ ହସ୍ତାନ୍ତର କରିବା ପାଇଁ ଏକ ଚୁକ୍ତି କରିବାକୁ ନେଇ ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ପୂର୍ବରୁ ତିକ୍ତ ହୋଇସାରିଛି। ଆମେରିକା ଏହି ଚୁକ୍ତିକୁ ବିରୋଧ କରୁଛି। ଚାଗୋସ୍ ଦ୍ୱୀପପୁଞ୍ଜର ଡିଏଗୋ ଗାର୍ସିଆରେ ଏକ ସାମରିକ ଘାଟି ରହିଛି ଯାହା ମଧ୍ୟପ୍ରାଚ୍ୟରେ ଦୀର୍ଘ ଦୂରଗାମୀ ଅଭିଯାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିଟେନର ଯୁକ୍ତିକୁ ତୀବ୍ର ନିନ୍ଦା କରିଛନ୍ତି ଓ ଚାଗୋସ୍ ଦ୍ୱୀପପୁଞ୍ଜର ନିୟନ୍ତ୍ରଣ ଛାଡିବା ବିରୋଧରେ କଡ଼ା ଚେତାବନୀ ଦେଇଛନ୍ତି। ଟ୍ରମ୍ପ ନିଜ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟ୍ରୁଥ୍‌ ସୋସିଆଲରେ ଲେଖିଛନ୍ତି ଯେ, ଆମେରିକାକୁ ଆର୍‌ଏଏଫ୍‌ ଘାଟି ବ୍ୟବହାର କରିବା ପାଇଁ ବ୍ରିଟେନର ଅନୁମୋଦନ ଆବଶ୍ୟକ ଥିବାବେଳେ ଡିଏଗୋ ଗାର୍ସିଆକୁ ବ୍ୟବହାର କରିବାକୁ କେବଳ ବିଦ୍ୟମାନ ଚୁକ୍ତି ଅନୁଯାୟୀ ବ୍ରିଟେନକୁ ସୂଚନା ଦେବାକୁ ପଡିବ।

Tags: