୧୫ କୋଟିର ବ୍ୟବସାୟ ଛାଡ଼ି ସନ୍ନ୍ୟାସୀ ହେବେ ପୂରା ପରିବାର

ଦୀକ୍ଷା ନେବେ ସ୍ୱାମୀ-ସ୍ତ୍ରୀଙ୍କ ସହ ଦୁଇ ଝିଅ

୧୫ କୋଟିର ବ୍ୟବସାୟ ଛାଡ଼ି ସନ୍ନ୍ୟାସୀ ହେବେ ପୂରା ପରିବାର
Samaya Live Desk Picture
Published On

ଉଦୟପୁର/ସୁରଟ: ଧନ, ସମ୍ପତ୍ତି ଓ ସଫଳ ବ୍ୟବସାୟର ମୋହ ଛାଡ଼ି ଆଧ୍ୟାତ୍ମିକତାର ରାସ୍ତା ବାଛିଛନ୍ତି ରାଜସ୍ଥାନର ଏକ ଜୈନ ପରିବାର। ବାର୍ଷିକ ପ୍ରାୟ ୧୫ କୋଟି ଟଙ୍କାର ବ୍ୟବସାୟ ଚଳାଉଥିବା ଏହି ପରିବାରର ଚାରିଜଣ ଏବେ ସାଂସାରିକ ଜୀବନ ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରିବାକୁ ଯାଉଛନ୍ତି। ରାଜସ୍ଥାନର ଉଦୟପୁର ଜିଲ୍ଲାର ଦିଲୀପ ଭାଇ ଭୋଗର (୪୭), ତାଙ୍କ ପତ୍ନୀ ଜ୍ୟୋତି ବେନ୍‌ (୪୫) ଏବଂ ଦୁଇ ଝିଅ ଛବି (୨୨) ଓ ଚାର୍ଭି (୧୪) ଆସନ୍ତା ୨୦୨୭ ଫେବ୍ରୁଆରି ୮ ତାରିଖରେ ଗୁଜରାଟର ସୁରଟରେ ଜୈନ ଦୀକ୍ଷା ଗ୍ରହଣ କରିବେ। ଏହା ପୂର୍ବରୁ ୨୦୨୩ରେ ପରିବାରର ଆଉ ଜଣେ ଝିଅ ଶୈଳୀ ଦୀକ୍ଷା ନେଇଥିଲେ। ବର୍ତ୍ତମାନ ସେ ସାଧ୍ୱୀ ଦର୍ଶିତା ନାମରେ ପରିଚିତ। ଦିଲୀପ ଭାଇ ଉଦୟପୁର ଜିଲ୍ଲାର ଯଶବନ୍ତଗଡ଼ ଗାଁରୁ ସୁରଟ ଆସି ଏକ ଛୋଟ ଦୋକାନରୁ କପଡ଼ା ବ୍ୟବସାୟ ଆରମ୍ଭ କରିଥିଲେ। ଧୀରେ ଧୀରେ ବ୍ୟବସାୟ ବଢ଼ିବା ସହ ଆଉ ଦୁଇଟି ଦୋକାନ ଖୋଲିବା ସହ ଅନେକ ମେସିନ୍‌ ମଧ୍ୟ ସ୍ଥାପନ କରିଥିଲେ। ବ୍ୟବସାୟକୁ ଆହୁରି ବଢ଼ାଇବାକୁ ଯୋଜନା କରୁଥିବା ସମୟରେ ଜଣେ ଜୈନ ଆଚାର୍ଯ୍ୟଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଏହି ସାକ୍ଷାତ ତାଙ୍କ ଜୀବନର ଦିଗ ବଦଳାଇ ଦେଇଥିଲା। ଜୈନ ଧର୍ମ ପ୍ରତି ଆଗ୍ରହ ବଢ଼ିବା ସହ ସେ ସନ୍ନ୍ୟାସ ଜୀବନ ପ୍ରତି ଆକୃଷ୍ଟ ହୋଇଥିଲେ। ବଡ଼ ଝିଅ ଶୈଳୀ ଦୀକ୍ଷା ନେବା ପରେ ସେ ବ୍ୟବସାୟକୁ ସଙ୍କୁଚିତ କରି ନିଜେ ଦୀକ୍ଷା ନେବାକୁ ନିଷ୍ପତ୍ତି ନେଇଥିଲେ। ପରେ ପତ୍ନୀ ଓ ଅନ୍ୟ ଦୁଇ ଝିଅ ମଧ୍ୟ ତାଙ୍କ ସହ ଏହି ଆଧ୍ୟାତ୍ମିକ ମାର୍ଗରେ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଛବି ବିବିଏ ଗ୍ରାଫିକ୍ ଡିଜାଇନ୍ ପଢ଼ିବା ସହ ନିଜ ହାତରେ ତିଆରି ସାଜସଜ୍ଜା ଓ ଉପଯୋଗୀ ସାମଗ୍ରୀ ବିକ୍ରି କରୁଥିଲେ। ମାତ୍ର ଚାରି ମାସ ପରେ ସେ ଏହା ଛାଡ଼ି ଦେଇଥିଲେ। ସେହିପରି ଚାର୍ଭି ନବମ ଶ୍ରେଣୀ ଅଧାରୁ ପାଠପଢ଼ା ଛାଡ଼ିବା ସହ ସୁରଟରେ ଜିଲ୍ଲାସ୍ତରୀୟ ଫୁଟବଲ୍ ଖେଳାଳି ଭାବେ ମଧ୍ୟ ପରିଚିତ।

Tags: