ସ୍ୱାଧୀନତା ଦିବସ ପୂର୍ବରୁ ରାଜସ୍ଥାନରେ ଦୁଇ ଗିରଫ, ପାକିସ୍ତାନର ଜୈସ୍‌ ସହ ଲିଙ୍କ୍‌

ସ୍ୱାଧୀନତା ଦିବସ ପୂର୍ବରୁ ରାଜସ୍ଥାନରେ ଦୁଇ ଗିରଫ, ପାକିସ୍ତାନର ଜୈସ୍‌ ସହ ଲିଙ୍କ୍‌
Samaya Live Desk Picture
Published On

ଜୟପୁର : ସ୍ୱାଧୀନତା ଦିବସ ପୂର୍ବରୁ ଏକ ବଡ଼ ସୁରକ୍ଷା ଅଭିଯାନରେ ରାଜସ୍ଥାନର କ୍ରିମିନାଲ ଇନଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ (ସିଆଇଡି)ର ସ୍ପେଶାଲ ବ୍ରାଞ୍ଚ ଟୋଙ୍କ ଜିଲ୍ଲାରୁ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ସେମାନଙ୍କର ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈସ୍‌ ଏ ମହମ୍ମଦ ସହ ସମ୍ପର୍କ ଥିବା ଅଭିଯୋଗ ରହିଛି। ବାସିତ ଓ ବୁରହାନ ନାମକ ଏହି ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନ ଧରି ଚାଲିଥିବା ପୃଥକ ଅଭିଯାନରେ ଧରାଯାଇଥିଲା। ଗିରଫ ପରେ ଉଭୟଙ୍କୁ ଅଧିକ ତଦନ୍ତ ଓ ପଚରାଉଚରା ପାଇଁ ରାଜସ୍ଥାନ ଆତଙ୍କୀ ନିରୋଧ ସ୍କ୍ବାଡ୍‌କୁ ହସ୍ତାନ୍ତର କରାଯାଇଛି। ଅଧିକାରୀମାନଙ୍କ ଅନୁସାରେ, ବାସିତକୁ ଟୋଙ୍କର କୋତୱାଲି ଥାନା ଅଧୀନ ଧନ୍ନାତଲାଇ ଅଞ୍ଚଳରୁ ଧରାଯାଇଥିଲା। ପରିବାର ସଦସ୍ୟମାନେ କହିଛନ୍ତି ଯେ ସାଧା ପୋଷାକରେ ଥିବା ଏକ ଟିମ୍ ତାଙ୍କ ଘରକୁ ଆସି ତାଙ୍କୁ ନେଇଯାଇଥିଲା। ସେତେବେଳେ ତାଙ୍କ ବାପା, ଯିଏ ସ୍ଥାନୀୟ ଅଞ୍ଚଳରେ ଏକ ଢାବା ଚଳାନ୍ତି, ଘରେ ନଥିଲେ। ବାସିତକୁ ଧରିବା ପରେ ସିଆଇଡି ତାଙ୍କ ଘରେ ତଲାସୀ କରିଥିଲା। ପରିବାର ଅନୁସାରେ, ଅଧିକାରୀମାନେ ତଲାସୀ ସମୟରେ ଏଟିଏମ୍‌ କାର୍ଡ, ବ୍ୟାଙ୍କ ପାସ୍‌ବୁକ୍‌ ଏବଂ ଏକ ଇଲେକ୍ଟ୍ରିକ୍ ସ୍କୁଟରର କିଛି ଅଂଶ ସମେତ ଅନେକ ସାମଗ୍ରୀ ଜବତ କରିଥିଲେ। ତେବେ ଜବତ ହୋଇଥିବା ସାମଗ୍ରୀଗୁଡ଼ିକର ତଦନ୍ତ ସହ କି ପ୍ରକାର ସମ୍ପର୍କ ରହିଛି, ସେନେଇ ଅଧିକାରୀମାନେ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାନ୍ତି। ଉଭୟଙ୍କର ଜୈସ-ଏ-ମହମ୍ମଦ ସହ ସମ୍ପର୍କ ଥିବା ଜଣାପଡ଼ିଛି। ଦ୍ୱିତୀୟ ଅଭିଯୁକ୍ତ ବୁରହାନକୁ ଚାଲିଥିବା ଅଭିଯାନର ଅଂଶ ଭାବେ ଶନିବାର ଟୋଙ୍କରୁ ଗିରଫ କରାଯାଇଥିଲା। ସୁରକ୍ଷା ସଂସ୍ଥା ଗୁଡ଼ିକର ସନ୍ଦେହ ଅନୁଯାୟୀ ଉଭୟ ବ୍ୟକ୍ତିଙ୍କର ପାକିସ୍ତାନଭିତ୍ତିକ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହ ସମ୍ପର୍କ ଥିଲା। ତେବେ ଏହି କଥିତ ସମ୍ପର୍କର ପ୍ରକୃତି କ’ଣ ଥିଲା, ସେନେଇ ଅଧିକାରୀମାନେ ଏପର୍ଯ୍ୟନ୍ତ ଅଧିକ ବିବରଣୀ ପ୍ରକାଶ କରିନାହାନ୍ତି।

Tags: