ପିଓକେକୁ ଭାରତର ଅଂଶ କହିଲା ଆମେରିକା‌

  ପିଓକେକୁ ଭାରତର ଅଂଶ କହିଲା ଆମେରିକା‌
Samaya Live Desk Picture
Published On

ୱାସିଂଟନ: ଭାରତ ସହ ବାଣିଜ୍ୟ ଚୁକ୍ତି ପରେ, ଆମେରିକା ଭାରତକୁ ସମର୍ଥନ କଲାଭଳି ଏମିତି ଏକ ପଦକ୍ଷେପ ନେଇଛି ଯାହା ପାକିସ୍ତାନକୁ ବଡ଼ ଝଟକା ଦେଇଛି। ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ ଭାରତର ଏକ ମାନଚିତ୍ର ଜାରି କରିଛି। ଯେଉଁଥିରେ ସମଗ୍ର ଜମ୍ମୁ-କାଶ୍ମୀରକୁ ଭାରତର ଅଂଶ ଭାବରେ ଦର୍ଶାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥିରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତି ପାଇଁ ଢାଞ୍ଚା ପ୍ରକାଶ ପରେ ଏହି ମାନଚିତ୍ର ପୋଷ୍ଟ କରାଯାଇଛି। କାଶ୍ମୀର ପ୍ରସଙ୍ଗରେ ୱାସିଂଟନର ସ୍ଥିତି ରହିଛି ଯେ, ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଆଲୋଚନା ମାଧ୍ୟମରେ ଏହାର ସମାଧାନ ହେବା ଉଚିତ। ସେପ୍ଟେମ୍ବର ୨୦୨୩ରେ, ଭାରତରେ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟି ଆମେରିକାର ସ୍ଥିତିକୁ ଦୋହରାଇ କହିଥିଲେ ଯେ, କାଶ୍ମୀର ସମସ୍ୟା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ଯାହା ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନ ହେବା ଉଚିତ।

ଗତ ବର୍ଷ ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ସମ୍ପର୍କରେ ଅନେକ ମନ୍ତବ୍ୟ ଦେଇଥିଲେ ଯାହା ୱାସିଂଟନର ପୂର୍ବ ମତର ବିରୁଦ୍ଧାଚରଣ କରିଥିଲା। ଟ୍ରମ୍ପ ସିଧାସଳଖ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ। ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ କହିଥିଲେ, ହଜାର ବର୍ଷ ମଧ୍ୟରେ କାଶ୍ମୀର ସମସ୍ୟାର ସମାଧାନ ମିଳିପାରିବ କି ନାହିଁ ତାହା ମୁଁ ଦେଖିବାବୁ ଚାହେଁ। ଅନ୍ୟପକ୍ଷେ ଭାରତ ବାରମ୍ବାର କହିଆସିଛି ଯେ ଜମ୍ମୁ-କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ସବୁବେଳେ ରହିବ। ଭାରତ କହୁଛି ଯେ, କାଶ୍ମୀର ଉପରେ ପାକିସ୍ତାନ ସହିତ ଯେକୌଣସି ଆଲୋଚନା କେବଳ ପାକ୍ ଅଧିକୃତ କାଶ୍ମୀର (ପିଓକେ) ଫେରାଇବା ବିଷୟରେ ହେବ।    

Tags: