ଟ୍ରମ୍ପ-ନେତାନ୍ୟାହୁ ରୁଦ୍ଧଦ୍ବାର ବୈଠକ
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଏକ ରୁଦ୍ଧଦ୍ବାର ବୈଠକ ହୋଇଛି। ଇରାନର ପରମାଣୁ କାର୍ଯ୍ୟକ୍ରମ ଓ ଗାଜାରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ କୂଟନୈତିକ ପ୍ରୟାସ ଜୋରଦାର ହେଉଥିବାବେଳେ ଏଭଳି ସମୟରେ ଏହି ବୈଠକକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। କିନ୍ତୁ ଟ୍ରମ୍ପ ପରେ ସ୍ପଷ୍ଟ କରିଛନ୍ତି ଯେ ତିନି ଘଣ୍ଟାର ଆଲୋଚନାରେ କୌଣସି ଚୂଡ଼ାନ୍ତ ନିଷ୍କର୍ସ ବାହାରିନାହିଁ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଇରାନ ସହିତ ଆଲୋଚନା ଜାରି ରହିବ। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି, ବୈଠକ ବହୁତ ଭଲ ହୋଇଥିଲା କିନ୍ତୁ କୌଣସି ଠୋସ୍ ଫଳାଫଳ ମିଳିନଥିଲା। କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। କେବଳ ଏତିକି ମୁଁ ଗୁରୁତ୍ୱାରୋପ କରିଥିଲି ଯେ, ଏକ ଚୁକ୍ତି ସମ୍ଭବ କି ନାହିଁ ତାହା ଦେଖିବା ପାଇଁ ଇରାନ ସହିତ ଆଲୋଚନା ଜାରି ରଖିବାକୁ ପଡିବ। ଟ୍ରମ୍ପ କହିଛନ୍ତି, ଯଦି ଏକ ଚୁକ୍ତି ହୋଇପାରେ, ତେବେ ତାହା ସର୍ବୋତ୍ତମ ବିକଳ୍ପ ହେବ। ଯଦି ନୁହେଁ, ତେବେ ଆମକୁ ପରବର୍ତ୍ତୀ ସମୟରେ କଣ କରିବାକୁ ହେବ ତାହା ଦେଖିବାକୁ ପଡିବ। ତେବେ ନେତାନ୍ୟାହୁ ତାଙ୍କ ଚିନ୍ତାଧାରା ସହିତ ସହମତ କି ନାହିଁ ତାହା ଟ୍ରମ୍ପ କହି ନାହାନ୍ତି। ଟ୍ରମ୍ପ୍ ଇରାନ ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ଉଲ୍ଲେଖ କରି ଆଲୋଚନା ବିଫଳ ହେଲେ ଗମ୍ଭୀର ପରିଣାମ ହେବ ବୋଲି ଚେତାବନୀ ଦେଇଛନ୍ତି। ଶେଷ ଥର ପାଇଁ ଇରାନ ଆପୋଷ କରିବାକୁ ମନା କରିଦେଇଛି।



