ଭାରତକୁ ଫେରିଲା ଚୋଳ ସାମ୍ରାଜ୍ୟର ଧନ
ଭାରତର ପ୍ରାୟ ୧୦୦୦ ବର୍ଷ ପୁରୁଣା ଏକ ଅମୂଲ୍ୟ ଐତିହ୍ୟ, ଯାହା ଶତାବ୍ଦୀ ଧରି ବିଦେଶ ମାଟିରେ ରହିଥିଲା, ଶେଷରେ ନିଜ ଘରକୁ ଫେରିଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମୟରେ ଭାରତକୁ ଫେରାଇ ଦିଆଯାଇଛି ୧୧ଶ ଶତାବ୍ଦୀର ପ୍ରସିଦ୍ଧ ଅନାୟମଙ୍ଗଳମ ତମ୍ବା ପ୍ଲେଟ୍, ଯାହାକୁ ଇତିହାସରେ “ଲେଡେନ୍ ପ୍ଲେଟ୍ ଭାବେ ମଧ୍ୟ ଜଣାଯାଏ। ଏହି ତମ୍ବା ପ୍ଲେଟ୍ଗୁଡ଼ିକ କେବଳ ପୁରୁଣା ଧାତୁର ଫଳକ ନୁହେଁ, ଏଗୁଡ଼ିକ ହେଉଛି ଚୋଳ ସାମ୍ରାଜ୍ୟର ଶକ୍ତି, ସଂସ୍କୃତି ଓ ପ୍ରଶାସନିକ ପ୍ରଜ୍ଞାର ଜୀବନ୍ତ ପ୍ରମାଣ। ପ୍ରାୟ ୩୦ କିଲୋଗ୍ରାମ ଓଜନର ଏହି ଐତିହାସିକ ତମ୍ବା ଦଲିଲକୁ ଚୋଳ ରାଜବଂଶର ସବୁଠାରୁ ମହତ୍ୱପୂର୍ଣ୍ଣ ରେକର୍ଡ ମଧ୍ୟରେ ଗଣନା କରାଯାଏ। କୁହାଯାଏ ଯେ ଉପନିବେଶ ଯୁଗରେ ପ୍ରାୟ ୨୫୦ ବର୍ଷ ପୂର୍ବେ ଡଚ୍ ଅଧିକାରୀମାନେ ଏହି ତମ୍ବା ପ୍ଲେଟ୍ଗୁଡ଼ିକୁ ଭାରତରୁ ନେଇଯାଇଥିଲେ। ଦୀର୍ଘ ସମୟ ଧରି ସେଗୁଡ଼ିକ ନେଦରଲ୍ୟାଣ୍ଡରେ ସଂରକ୍ଷିତ ରହିଥିଲା।

ଏବେ ଶତାବ୍ଦୀ ପରେ ସେମାନେ ପୁନର୍ବାର ଭାରତକୁ ଫେରିଆସିଛନ୍ତି। ଏହି ତମ୍ବା ପ୍ଲେଟ୍ର ସବୁଠାରୁ ବଡ଼ ବିଶେଷତା ହେଉଛି, ଏଗୁଡ଼ିକ କେବଳ ଶିଳାଲେଖ ନୁହେଁ, ବରଂ ସେହି ସମୟର ରାଜକୀୟ ନିର୍ଦ୍ଦେଶ ଓ ପ୍ରଶାସନିକ ରେକର୍ଡର ଏକ ସଂଗ୍ରହ। ଏଥିରେ ୨୧ଟି ବଡ଼ ଓ ୩ଟି ଛୋଟ ତମ୍ବା ପ୍ଲେଟ୍ ରହିଛି, ଯାହା ଏକ ବୃହତ୍ ବୃତ୍ତାକାର ତମ୍ବା ବଳୟ ସହିତ ଯୋଡ଼ାଯାଇଛି। ସେହି ବଳୟରେ ଚୋଳ ସାମ୍ରାଜ୍ୟର ରାଜମୋହର ଖୋଦିତ ଅଛି। ବସିଥିବା ବାଘ ଚୋଳ ରାଜବଂଶକୁ ପ୍ରତିନିଧିତ୍ୱ କରୁଥିବାବେଳେ, ଦୁଇଟି ମାଛ ପାଣ୍ଡ୍ୟ ରାଜବଂଶ ଉପରେ ବିଜୟର ପ୍ରତୀକ ଭାବେ ଦର୍ଶାଯାଇଛି। ରାଜକୀୟ ଛତାର ଚିତ୍ର ମଧ୍ୟ ଏଥିରେ ଖୋଦିତ ହୋଇଛି। ଏହି ଫଳକଗୁଡ଼ିକ ଦୁଇଟି ଭାଷାରେ ଲେଖାଯାଇଛି। ସଂସ୍କୃତ ଭାଗଟି ଗ୍ରନ୍ଥ ଲିପିରେ ରଚିତ, ଯେଉଁଥିରେ ଚୋଳ ରାଜାମାନଙ୍କର ବଂଶାବଳୀ ଓ ଇତିହାସ ଉଲ୍ଲେଖ ଅଛି। ତାମିଲ ଭାଷାରେ ଜମି, କର, ଗ୍ରାମ ସୀମା ଏବଂ ପ୍ରଶାସନ ସମ୍ବନ୍ଧୀୟ ତଥ୍ୟ ଲେଖାଯାଇଛି। ଐତିହାସିକମାନଙ୍କ ମତରେ, ସେହି ସମୟର ଶାସନ ବ୍ୟବସ୍ଥା ଓ ପ୍ରଶାସନକୁ ବୁଝିବା ପାଇଁ ଏଗୁଡ଼ିକ ଅତ୍ୟନ୍ତ ମୂଲ୍ୟବାନ ପ୍ରମାଣ। ଏହି କାହାଣୀର ଆରମ୍ଭ ହୋଇଥିଲା ନାଗାପଟ୍ଟିନମରେ। ୧୦୦୫ ଖ୍ରୀଷ୍ଟାବ୍ଦରେ ଶ୍ରୀବିଜୟ ସାମ୍ରାଜ୍ୟର ରାଜା ସେଠାରେ ଚୁଡାମଣି ବିହାର ନାମକ ଏକ ବୌଦ୍ଧ ମଠ ନିର୍ମାଣ କରିଥିଲେ। ଏହି ମଠର ରକ୍ଷଣାବେକ୍ଷଣ ପାଇଁ ଚୋଳ ସମ୍ରାଟ ରାଜରାଜା ଚୋଳ। ଅନାୟମଙ୍ଗଳମ ଗ୍ରାମର ସମସ୍ତ ଆୟ ଓ କର ସେହି ବିହାରକୁ ଦାନ କରିବାକୁ ଆଦେଶ ଦେଇଥିଲେ। ପରେ ତାଙ୍କ ପୁଅ ରାଜେନ୍ଦ୍ର ଚୋଳ। ସେହି ଆଦେଶକୁ ଚିରସ୍ଥାୟୀ ଭାବେ ସଂରକ୍ଷଣ ପାଇଁ ତମ୍ବା ପ୍ଲେଟ୍ରେ ଖୋଦାଇଥିଲେ। ଐତିହାସିକମାନଙ୍କ ମତରେ, ଏହି ତମ୍ବା ପ୍ଲେଟ୍ଗୁଡ଼ିକ କେବଳ ପ୍ରଶାସନିକ ରେକର୍ଡ ନୁହେଁ ଏଗୁଡ଼ିକ ଧାର୍ମିକ ସହିଷ୍ଣୁତା ଓ ସେତେବେଳର ଦକ୍ଷିଣ ଭାରତ ଏବଂ ଦକ୍ଷିଣ-ପୂର୍ବ ଏସିଆ ମଧ୍ୟରେ ଥିବା ଦୃଢ଼ ବାଣିଜ୍ୟ ସମ୍ପର୍କର ପ୍ରତିଫଳନ।ପରେ ଉପନିବେଶ ଯୁଗ ଆସିଲା। ୧୬୯୦ ମସିହାରେ ଡଚ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ନାଗାପଟ୍ଟିନମରେ ତାହାର ମୁଖ୍ୟାଳୟ ସ୍ଥାପନ କଲା। ସେହି ସମୟରେ ଏହି ଐତିହାସିକ ଫଳକଗୁଡ଼ିକୁ ଭାରତରୁ ବାହାରକୁ ନିଆଯାଇଥିଲା। ରେକର୍ଡ ଅନୁଯାୟୀ, ଫ୍ଲୋରେଣ୍ଟିୟସ୍ କ୍ୟାମ୍ପର୍ ନାମକ ଜଣେ ଡଚ୍ ଅଧିକାରୀ ସେଗୁଡ଼ିକୁ ସଂଗ୍ରହ କରି ପରେ ନେଦରଲ୍ୟାଣ୍ଡକୁ ପଠାଇଥିଲେ। ଏବେ ଏହି ଅମୂଲ୍ୟ ଐତିହ୍ୟ ପୁନର୍ବାର ଭାରତକୁ ଫେରିଆସିବା ସହିତ ଏହାକୁ କେବଳ ସାଂସ୍କୃତିକ ପ୍ରତ୍ୟାବର୍ତ୍ତନ ନୁହେଁ, ବରଂ ଇତିହାସର ଘରକୁ ଫେରା ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହାକୁ ଭାରତର ଐତିହ୍ୟ ଓ ଗର୍ବ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ଶତାବ୍ଦୀ ଧରି ବିଦେଶରେ ରହିବା ପରେ, ଚୋଳ ସାମ୍ରାଜ୍ୟର ଏହି ଅମୂଲ୍ୟ ଧନ ଶେଷରେ ପୁଣିଥରେ ନିଜ ମାଟିକୁ ଫେରିଆସିଛି।



