ଦୁଷ୍କର୍ମ ମାମଲାରେ ଆସାରାମଙ୍କ ପୁଅ ନାରାୟଣ ସାଇଙ୍କ ଆଜୀବନ କାରାଦଣ୍ଡ ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ୨୦୧୩ ମସିହାର ଏକ ଦୁଷ୍କର୍ମ ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ଆସାରାମଙ୍କ ପୁଅ ନାରାୟଣ ସାଇଙ୍କୁ ଦିଆଯାଇଥିବା ଆଜୀବନ କାରାଦଣ୍ଡକୁ ସ୍ଥଗିତ କରିବାକୁ ଶୁକ୍ରବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ନାରାୟଣ ସାଇ ଦୁଷ୍କର୍ମ ଦୋଷୀସାବ୍ୟସ୍ତତା ବିରୋଧରେ ଦାଖଲ କରିଥିବା ଆବେଦନର ଶୁଣାଣି ତିନି ମାସ ମଧ୍ୟରେ ସମାପ୍ତ କରିବାକୁ ବିଚାରପତି ଏମ୍.ଏମ୍. ସୁନ୍ଦ୍ରେଶ ଏବଂ ପି.ବି. ଭରାଲେଙ୍କ ଖଣ୍ଡପୀଠ ଗୁଜରାଟ ହାଇକୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ‘ଆମେ ହାଇକୋର୍ଟଙ୍କୁ ଅନୁରୋଧ କରୁଛୁ ଯେ, ତିନି ମାସ ମଧ୍ୟରେ ଆବେଦନ ଉପରେ ନିଷ୍ପତ୍ତି ନେବାକୁ ସର୍ବୋତ୍ତମ ପ୍ରୟାସ କରନ୍ତୁ। ଆବେଦନକାରୀ ଓ ରାଜ୍ୟ ସରକାର ଏହି ପ୍ରକ୍ରିୟାରେ ସହଯୋଗ କରିବେ ବୋଲି ଆମେ ସ୍ପଷ୍ଟ କରୁଛୁ। ନାରାୟଣ ସାଇଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଆଇନଜୀବୀ ଏନ୍. ହରିହରନ କହିଥିଲେ ଯେ, ଶୀଘ୍ର ଶୁଣାଣି ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ଆବେଦନର ଶୁଣାଣି ଆରମ୍ଭ ହୋଇନାହିଁ। ସୁପ୍ରିମକୋର୍ଟ କହିଛନ୍ତି , ଯଦି ତିନି ମାସ ମଧ୍ୟରେ ଆବେଦନ ଉପରେ କୌଣସି ନିଷ୍ପତ୍ତି ନହୁଏ ତେବେ ନାରାୟଣ ସାଇ ପୁଣିଥରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ। ସୁରଟର ଏକ ଅଦାଲତ ଦ୍ୱାରା ଦିଆଯାଇଥିବା ଦୋଷସାବ୍ୟସ୍ତତା ବିରୋଧରେ ନାରାୟଣ ସାଇଙ୍କ ଆବେଦନ ବର୍ତ୍ତମାନ ଗୁଜରାଟ ହାଇକୋର୍ଟରେ ବିଚାରାଧୀନ ଅଛି। ଗତ ମେ’ ୪ ତାରିଖରେ ହାଇକୋର୍ଟ ତାଙ୍କର ଆବେଦନ ଖାରଜ କରି ଦେଇଥିଲେ। ହାଇକୋର୍ଟ କହିଥିଲେ, ମାମଲାର ଗୁଣାବଳୀ ଦୃଷ୍ଟିରୁ ଦଣ୍ଡ ସ୍ଥଗିତ କରିବା କିମ୍ବା ଜାମିନ ଦେବା ପାଇଁ ପର୍ଯ୍ୟାପ୍ତ କାରଣ ଆମେ ଦେଖୁନାହୁଁ। ହାଇକୋର୍ଟ ଏହା ମଧ୍ୟ କହିଥିଲେ ଯେ, ନାରାୟଣ ସାଇ ୧୧ ବର୍ଷରୁ ଅଧିକ ସମୟ କାରାଗାରରେ ରହିଥିଲେ ମଧ୍ୟ, ୨୦୧୯ଠାରୁ ତାଙ୍କ ଆବେଦନର ଚୂଡ଼ାନ୍ତ ଶୁଣାଣିରେ ସହଯୋଗ କରିନାହାନ୍ତି। ବରଂ ଅସ୍ଥାୟୀ କିମ୍ବା ସ୍ଥାୟୀ ଜାମିନ ପାଇଁ ବାରମ୍ବାର ଆବେଦନ କରି ପ୍ରକ୍ରିୟାକୁ ବିଳମ୍ବ କରିବାକୁ ଚେଷ୍ଟା କରିଛନ୍ତି। ଅଦାଲତଙ୍କ ମତରେ, ସେ ତାଙ୍କ ଆବେଦନର ଶୀଘ୍ର ଶୁଣାଣିରେ ଆଦୌ ଆଗ୍ରହୀ ନଥିଲେ ଏବଂ ବିଭିନ୍ନ କୌଶଳ ଅବଲମ୍ବନ କରି ମାମଲାକୁ ବିଳମ୍ବ କରିଥିଲେ। ୨୦୧୯ ଏପ୍ରିଲରେ ସୁରଟର ଏକ ଅଦାଲତ ୨୦୧୩ରେ ଜଣେ ପୂର୍ବତନ ମହିଳା ଭକ୍ତଙ୍କ ଦ୍ୱାରା ଦାଖଲ ଦୁଷ୍କର୍ମ ମାମଲାରେ ନାରାୟଣ ସାଇଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଅଦାଲତ ତାଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୩୭୬ (ଦୁଷ୍କର୍ମ), ୩୭୭ (ଅପ୍ରାକୃତିକ ଯୌନ ସମ୍ପର୍କ), ୩୨୩ (ଆକ୍ରମଣ), ୫୦୬ (୨), (ଆପରାଧିକ ଧମକ) ଏବଂ ୧୨୦-ବି (ଷଡଯନ୍ତ୍ର) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ତାଙ୍କର ତିନିଜଣ ସହଯୋଗୀ—ଧର୍ମିଷ୍ଠା ଓରଫ ଗଙ୍ଗା, ଭାବନା ଓରଫ ଜମୁନା ଏବଂ ପବନ ଓରଫ ହନୁମାନଙ୍କୁ ୧୦ ବର୍ଷର କାରାଦଣ୍ଡ ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ନାରାୟଣ ସାଇଙ୍କ ବାପା ଆସାରାମ ମଧ୍ୟ ଦୁଇଟି ପୃଥକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା ଭୋଗୁଛନ୍ତି।
Tags:




