ଆଜି ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ୧୦୧ ତମ ଜୟନ୍ତୀ
ଭୁବନେଶ୍ୱର: ଆଜି ହେଉଛି ଡିସେମ୍ବର ୨୫ ବଡ଼ ଦିନ । ଆଜିର ଦିନରେ ଜନ୍ମ ନେଇଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ I ଆଜି ତାଙ୍କର ୧୦୧ତମ ଜୟନ୍ତୀକୁ ଶ୍ରଦ୍ଧାର ସହିତ ସମସ୍ତେ ପାଳନ କରୁଛନ୍ତି । ଏହି ଅବସରରେ ସଦୈବ ଅଟଳ ସ୍ମାରକ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା, ରାଜନାଥ ସିଂହଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫଟୋ ସେୟାର କରି କହିଛନ୍ତି, ପୂର୍ବ ପ୍ରଧାନମନ୍ତ୍ରୀ ଶ୍ରଦେୟ ଅଟଳ ବିହାରୀ ବାଜପେଙ୍କ ଜୟନ୍ତୀରେ ସଦୈବ ଅଟଳ ସ୍ମାରକ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇବାର ସୌଭାଗ୍ୟ ମିଳିଥିଲା । ଜନସେବା ଏବଂ ରାଷ୍ଟ୍ର ସେବାକୁ ସର୍ମପିତ ତାଙ୍କ ଜୀବନ ଦେଶବାସୀଙ୍କୁ ସବୁବେଳେ ପ୍ରେରଣା ଯୋଗାଇବ ।

ଏନେଇ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲକ୍ଷ୍ନୌ ଗସ୍ତ ରହିଛି । ଲକ୍ଷ୍ନୌର ରାଷ୍ଟ୍ର ପ୍ରେରଣା ସ୍ଥଳରେ ନିର୍ମିତ ଅଟଳ ବିହାରୀ ବାଜପେୟୀ, ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ଦିନ ଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିବାର କାର୍ଯ୍ୟକ୍ରମ ରହିଛି । ୨୩୦ କୋଟି ଟଙ୍କା ବ୍ୟୟରେ ୬୫ ଏକର ଜମିରେ ଏହି ୩ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି ।
୧୯୨୪ ମସିହା ଡିସେମ୍ବର ୨୫ରେ ମଧ୍ୟ ପ୍ରଦେଶର ଗ୍ୱାଲିଅରରେ ଏକ ହିନ୍ଦୁ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବାଜପେୟୀ । ୧୯୪୨ ମସିହାର ଭାରତ ଛାଡ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ସେ ଅନେକ ଗୁଣର ଅଧିକାରୀ ଥିଲେ । ଏକାଧାରାରେ ସେ ଜଣେ କବି, ଲେଖକ ଏବଂ ରାଷ୍ଟ୍ର ନେତା ଥିଲେ । ବାଜପେୟୀ ଦେଶର ବିକାଶର ମୂଳ ଦୂଆ ସ୍ଥାପନ କରିଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦେଶ ପାଇଁ ତାଙ୍କର ଅନେକ ଅବଦାନ ରହିଛି । ସେ ଛାତ୍ର ଜୀବନରୁ ସେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ସହିତ ଜଡ଼ିତ ଥିଲେ । କଲେଜରେ ପଢ଼ୁଥିବାବେଳେ ରାଜନୀତିରେ ପାଦ ଥାପିଥିଲେ । ୧୯୫୭ରୁ ୨୦୦୯ ମଧ୍ୟରେ ସେ ଲୋକସଭାକୁ ନଅ ଥର ନିର୍ବାଚିତ ହୋଇଥିବାବେଳେ, ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ, ଯାହାକି ଏକ ରେକର୍ଡ । ତାଙ୍କର ଗୋଟିଏ କବିତାରେ ଗୁଞ୍ଜରିତ ହୋଇ ଉଠୁଥିଲା ଦେଶର ସଂସଦ ଭବନ । ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ମୋଟ ତିନିଥର ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୯୬ରେ ୧୩ ଦିନ, ୧୯୯୮ରୁ୧୯୯୯ ମଧ୍ୟରେ ୧୩ ମାସ ଏବଂ ୧୯୯୯ରୁ୨୦୦୪ ପୁରା ୫ ବର୍ଷ ପ୍ରଧାନମନ୍ତ୍ରୀ ରହିଛନ୍ତି ।
ସେ ଦୀର୍ଘବର୍ଷ ଧରି ରାଷ୍ଟ୍ରଧର୍ମ, ପଞ୍ଚଜନ୍ୟ, ବୀରଅର୍ଜୁନ ଆଦି ରାଷ୍ଟ୍ରୀୟ ଭାବନାରେ ଜଡ଼ିତ ପତ୍ର-ପତ୍ରିକାର ସଂପାଦନା କରିଥିଲେ । ତାଙ୍କର ପ୍ରଥମ କବିତା ଥିଲା ତାଜମହଲ । ତାଙ୍କର କବିତା ସଂକଳନ " ମେରି ଇକ୍ୟାବନ କବିତାୟେଁ' । ଯାହାକି ପାଠକଙ୍କ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିଛି ।
ଦେଶପ୍ରତି ବାଜପେୟୀଙ୍କ ଅବଦାନକୁ ସମ୍ମାନ ଜଣାଇବା ପରିପ୍ରେକ୍ଷୀରେ ୨୦୧୪ ଡିସେମ୍ବର ୨୫ରେ ତାଙ୍କ ୯୦ତମ ଜୟନ୍ତୀକୁ ସୁଶାସନ ଦିବସ ଭାବେ ପାଳନ କରିବା ପାଇଁ ସରକାର ଘୋଷଣା କରିଥିଲେ । ବାଜପେୟୀଙ୍କ ସମ୍ମାନରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ନବନିର୍ମିତ କ୍ରିକେଟ ଷ୍ଟାଡିୟମକୁ ‘ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ’ ନାମରେ ନାମକରଣ କରାଯାଇଛି ।
୨୦୧୪ରେ ବାଜପେୟୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହି ସମ୍ମାନ ପ୍ରଦାନ କରିଥିଲେ । ଭାରତ ପ୍ରତି ତାଙ୍କର ନିଃସ୍ୱାର୍ଥପର ନିଷ୍ଠା ଓ ଶ୍ରଦ୍ଧା ଏବଂ ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଧରି ସମାଜ ଓ ରାଷ୍ଟ୍ର ପ୍ରତି ତାଙ୍କର ସେବାକୁ ସ୍ୱୀକୃତି ପ୍ରଦାନ ପୂର୍ବକ ଶ୍ରୀ ବାଜପେୟୀଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଛି । ୧୯୯୪ ମସିହାରେ ଶ୍ରୀ ବାଜପେୟୀଙ୍କୁ ଭାରତର ଶ୍ରେଷ୍ଠ ସାଂସଦ ଭାବେ ବିବେଚନା କରାଯାଇଥିଲା ।




