ବଏଲର ବିସ୍ଫୋରଣ ଘଟି ୩ ଜଣ ଶ୍ରମିକଙ୍କ ମୃତ୍ୟୁ
ଛତିଶଗଡ଼ : ବେଦାନ୍ତ ପାୱାର ପ୍ଲାଣ୍ଟରେ ଭୟଙ୍କର ବଏଲର ବିସ୍ଫୋରଣ । ୩ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହିତ ଅନେକ ଗୁରୁତର ଆହତ ହୋଇଛନ୍ତି । ଛତିଶଗଡ଼ର ଶକ୍ତି ଜିଲ୍ଲାସ୍ଥିତ ବେଦାନ୍ତ ପାୱାର ପ୍ଲାଣ୍ଟରେ ଘଟିଛି ଏହି ଦୁର୍ଘଟଣା ଘଟିଛି । ପ୍ଲାଣ୍ଟରେ ବଏଲର ବିସ୍ଫୋରଣ ଘଟି ୩ ଜଣ ଶ୍ରମିକଙ୍କ ପ୍ରାଣହାନି ହୋଇଥିବା ବେଳେ ୪୦ରୁ ଉର୍ଦ୍ଧ୍ବ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ହେଲେ ଏପର୍ଯ୍ୟନ୍ତ ସୁଦ୍ଧା ସରକାରୀ ଭାବେ ନିଶ୍ଚିତ କରାଯାଇନାହିଁ । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଆଗକୁ ମୃତ୍ୟୁ ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ଏହା ବ୍ୟତୀତ ବିସ୍ଫୋରଣର କାରଣ ମଧ୍ୟ ଜଣାପଡିନାହିଁ ।
ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ପ୍ଲାଣ୍ଟରେ କାମ ଚାଲିଥିବା ସମୟରେ ହଠାତ୍ ବଏଲରଟି ପ୍ରଚଣ୍ଡ ଶବ୍ଦ କରି ଫାଟିଯାଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଗୁରୁତର ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ପରେ ପ୍ଲାଣ୍ଟ ପରିସରରେ ଆତଙ୍କ ଖେଳିଯାଇଛି । ସ୍ଥାନୀୟ ପ୍ରଶାସନ ଓ ପ୍ଲାଣ୍ଟ କର୍ତ୍ତୃପକ୍ଷ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି। ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।




