ନାଇଜର ବିମାନବନ୍ଦରରେ ଆକ୍ରମଣ, ୩୫ ମୃତ
ନିଆମେ: ନାଇଜରର ସବୁଠାରୁ ବଡ଼ ବିମାନବନ୍ଦରରେ ଗୁରୁବାର ବନ୍ଧୁକଧାରୀମାନେ ଆକ୍ରମଣ କରିଛନ୍ତି ଏବଂ ଏଥିରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳର ପ୍ରାର୍ଥନା ପରେ ଡିଓରି ହାମାନି ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୁଳିଚାଳନା ଶବ୍ଦ ଶୁଭିଥିଲା। ନାଇଜର ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୨୨ ଜଣ ଆକ୍ରମଣକାରୀ, ୧୧ ଜଣ ସୈନିକ ଓ ୨ ଜଣ ନାଗରିକ ଅଛନ୍ତି। ଏହି ଆକ୍ରମଣ ପାଇଁ ଆଲ-କାଏଦା ସହିତ ଜଡ଼ିତ ଜମାତ୍ ନୁସରତ୍ ଅଲ-ଇସଲାମ ୱଲ-ମୁସଲିମିନ୍ (ଜେଏନ୍ଆଇଏମ୍) ନିଜକୁ ଦାୟୀ କରିଛି। ନାଇଜର ଏକ ଦଶନ୍ଧି ଧରି ଇସଲାମିକ ବିଦ୍ରୋହ ସହିତ ଲଢ଼ୁଛି ଓ ଜାନୁଆରି ମାସରେ ଇସଲାମିକ ଷ୍ଟେଟ୍ ଗୋଷ୍ଠୀ ସହିତ ଜଡିତ ଏକ ସଂଗଠନ ଏହି ବିମାନବନ୍ଦରରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ଗୁରୁବାର ଘଟିଥିବା ହିଂସା ସକାଳ ସୁଦ୍ଧା ସ୍ଥଗିତ ହୋଇଯାଇଥିଲା ଓ ସୁରକ୍ଷା ବାହିନୀ ଅନ୍ୟ ଆକ୍ରମଣକାରୀଙ୍କୁ ଧରିବା ପାଇଁ ତଲାସ ଆରମ୍ଭ କରିଛନ୍ତି। କର୍ତ୍ତୃପକ୍ଷ କହିଛନ୍ତି ଯେ, ୨୨ ଜଣ ଆକ୍ରମଣକାରୀଙ୍କ ସହିତ ଆଉ ଚାରି ଜଣ ଆହତ ହୋଇଛନ୍ତି। ୨୦ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଆରପିଜି-୭ ଲଞ୍ଚର, ଏକେ-୪୭ ରାଇଫଲ, ବିସ୍ଫୋରକ, ଗ୍ରେନେଡ, ଯୋଗାଯୋଗ ଉପକରଣ ଓ ବିପୁଳ ପରିମାଣର ଗୋଳାବାରୁଦ ଜବତ କରାଯାଇଛି। ପାଞ୍ଚ ମାସରୁ କମ୍ ସମୟ ମଧ୍ୟରେ ଏହା ନାଇଜରରେ ଦ୍ୱିତୀୟ ଆକ୍ରମଣ।




