ସିବିଆଇ ଅଫିସରେ ହାଜର ହେଲେ ଥାଲାପତି ବିଜୟ
ନୂଆଦିଲ୍ଲୀ : ଅଭିନେତା ଥାଲାପତି ବିଜୟଙ୍କୁ ସିବିଆଇ ଜେରା । ଦିଲ୍ଲୀ ସିବିଆଇ ହେଡ୍ କ୍ବାର୍ଟରରେ ପହଞ୍ଚିଛନ୍ତି ବିଜୟ କୁମାର । କରୁର ଦଳାଚକଟା ଘଟଣାରେ ଅଭିନେତାରୁ ଟିଭିକେ ନେତା ହୋଇଥିବା ଥାଲାପତି ବିଜୟଙ୍କୁ ପଚରାଉଚରା କରୁଛି ସିବିଆଇ । ଗତ ସେପ୍ଟେମ୍ବର ୨୭ ତାରିଖରେ ତାମିଲନାଡ଼ୁ କରୁରରେ ବିଜୟଙ୍କ ରାଜନୈତିକ ରାଲି ବେଳେ ଦଳାଚକଟା ହୋଇଥିଲା । ଏଥିରେ ୪୧ ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଥିଲା ।
ସିବିଆଇ ଜେରାରେ ସମ୍ମୁଖୀନ ହେବାକୁ ବିଜୟ ଚେନ୍ନାଇରୁ ଏକ ଚାର୍ଟାଡ ବିମାନରେ ଦିଲ୍ଲୀରେ ଆସି ପହଞ୍ଚିଥିଲେ । ଦିଲ୍ଲୀ ବିମାନବନ୍ଦରରୁ ସିବିଆଇ ମୁଖ୍ୟାଳୟକୁ ଯାଇଛନ୍ତି । ଯେଉଁଠାରେ ତାଙ୍କୁ ସେପ୍ଟେମ୍ବର ୨୭ର ଦଳାଚକଟା ଘଟଣା ସମ୍ପର୍କରେ ପଚରାଉଚରା କରାଯିବ । ଭିଡ଼ ନିୟନ୍ତ୍ରଣ ତଥା ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ସମ୍ପର୍କରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ବିଜୟଙ୍କୁ ପଚରାଉଚରା କରିବ।
ଅଧିକାରୀମାନେ କହିଛନ୍ତି ଯେ, କାର୍ଯ୍ୟକ୍ରମ ପୂର୍ବରୁ ଏବଂ କାର୍ଯ୍ୟକ୍ରମ ସମୟରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଗୁରୁତ୍ବ ଦିଆଯିବ । ଯେଉଁଥିରେ ବିଜୟଙ୍କ ଗତିବିଧି, ତାଙ୍କ ଆସିବାରେ ବିଳମ୍ବ ପ୍ରବଳ ଭିଡ଼ ପାଇଁ ଅବଦାନ ରଖିଥିଲା କି ନାହିଁ ସେ ସମ୍ପର୍କରେ ପଚରାଉଚରା କରାଯାଉଛି ।



