ଉଧମପୁର ଏନକାଉଣ୍ଟର, ଜଣେ ଯବାନ ସହିଦ, ଆତଙ୍କବାଦୀ ନିପାତ
ଶ୍ରୀନଗର: ଜମ୍ମୁ-କାଶ୍ମୀରର ଉଧମପୁରରେ ସୋମବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଜଣେ ଆତଙ୍କବାଦୀ ନିପାତ ହୋଇଛି। ସହିଦ ଯବାନ ଜଣଙ୍କ ଏସ୍ଓଜି (ସ୍ପେଶାଲ ଅପରେସନ ଗ୍ରୁପ୍) ଯବାନ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ୨-୩ ଜଣ ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସୁରକ୍ଷାକର୍ମୀ ସୋମବାର ସନ୍ଧ୍ୟାରେ ଉଧମପୁରର ସୋଆନ୍ ଗାଁକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ କରିଥିଲେ। ଜମ୍ମୁର ଆଇଜିପି କହିଛନ୍ତି, ଜମ୍ମୁ-କାଶ୍ମୀର ପୁଲିସକୁ ମିଳିଥିବା ସୂଚନା ଆଧାରରେ ତଲାସୀ ଅଭିଯାନ କରାଯାଇଥିଲା। ଏସ୍ଓଜି ଓ ସିଆରପିଏଫ୍ର ମିଳିତ ଟିମ୍ ଏଥିରେ ସାମିଲ ହୋଇଥିବାବେଳେ ଉଭୟ ପକ୍ଷରୁ ଗୁଳିମାଡ଼ ଜାରି ରହିଛି। ସେନା, ପୁଲିସ ଓ ଅର୍ଦ୍ଧ ସାମରିକ ବାହିନୀ ମଜାଲତ ତହସିଲର ସୌନ -ମାରଥା ଅଞ୍ଚଳକୁ ଘେରାବନ୍ଦୀ କରି ଅପରେସନ ଚଳାଇଥିଲେ। ତଲାସୀ ଅଭିଯାନ ସମୟରେ ଲୁଚି ରହିଥିବା ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ। ଯବାନ ଏହାର ପାଲଟା ଜବାବ ଦେଇ ଗୁଳି ଚାଳନା କରିଥିଲେ।




