୩୦୦ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଥିବା ଅଭିଯୋଗରେ ତେଲେଙ୍ଗାନା ଡିଏସ୍ପି ଗିରଫ
ହାଇଦ୍ରାବାଦ:: ତେଲେଙ୍ଗାନା ଏସିବି (ଦୁର୍ନୀତି ନିବାରଣ ବ୍ୟୁରୋ) ଡିଏସ୍ପି ଏସ୍ ଭୀମ ରେଡ୍ଡିଙ୍କ ବିରୋଧରେ ଥିବା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରିଛି। ପ୍ରାୟ ୩୦୦ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହେବା ପରେ ଏସିବି ତାଙ୍କୁ ଗିରଫ କରିଛି। ହାଇଦ୍ରାବାଦର ପିସିଏସ୍ ( ପୁଲିସ କମ୍ପ୍ୟୁଟର ସର୍ଭିସ୍)ରେ ମୁତୟନ ହୋଇଥିବା ଡିଏସ୍ପିଙ୍କୁ ଇବ୍ରାହିମବାଗ ସ୍ଥିତ ତାଙ୍କ ବାସଭବନରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଏସିବି ଅନୁଯାୟୀ ଡିଏସ୍ପି ଭୀମ ରେଡ୍ଡିଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ପରିମାଣ ୩୦୦କୋଟିରୁ ଅଧିକ। ଅଫିସର୍ଙ୍କ ବାସଭବନ ଏବଂ ତାଙ୍କ ସମ୍ପର୍କୀୟ, ବନ୍ଧୁବାନ୍ଧବଙ୍କ ସହ ଜଡ଼ିତ ପ୍ରାୟ ୧୫ଟି ସ୍ଥାନରେ ଏସିବି ଚଢ଼ଉ କରିଛି। ଚଢ଼ଉ ସମୟରେ ଅଫିସରଙ୍କ ଘରୁ ୩.୬୦ ଲକ୍ଷ ନଗଦ ଟଙ୍କା ମିଳିଛି। ତାଙ୍କ ସହ ଜଡ଼ିତ ଅନ୍ୟ ଜଣେ ବ୍ୟକ୍ତିଙ୍କ ବାସଭବନରୁ ନଗଦ ୪୦ ଲକ୍ଷ ଜବତ ହୋଇଛି। ସେହିପରି ୨ କିଲୋ ସୁନା ଏବଂ ୨୦ କିଲୋ ରୁପା ଜବତ ହୋଇଛି। ଏଥିସହ ଅଫିସରଙ୍କର ୧୯ ଲକ୍ଷ ୯୧ ହଜାର ଟଙ୍କାର ବ୍ୟାଙ୍କ ବାଲାନ୍ସ ରହିଛି। ଉଲ୍ଲେଖଯୋଗ୍ୟ ଯେ ଏସିିବି ଅଧିକାରୀମାନେ ଅଫିସରଙ୍କର ଏକ ବ୍ୟକ୍ତିଗତ ହାତଲେଖା ଡାଏରି ପାଇଥିଲେ ଏବଂ ଏହି ଡାଏରୀରେ ହିଁ ଅଫିସରଙ୍କ ସମସ୍ତ ସମ୍ପତ୍ତି ବିବରଣୀ ରହିଛି। ସେ ଏବଂ ତାଙ୍କ ପତ୍ନୀ ଗତ ମେ’ରେ ଚାରିଧାମ ଯାତ୍ରାରେ ଯିବା ପୂର୍ବରୁ ଏକ ଡାଏରୀରେ ତାଙ୍କର ସମସ୍ତ ସମ୍ପତ୍ତି, ବିନିଯୋଗ ତାଲିକାଭୁକ୍ତ କରିଥିଲେ। ଏହି ଡାଏରିର କପିକୁ ଅଫିସର ତାଙ୍କ ଯାତ୍ରା ଆରମ୍ଭ କରିବା ପୂର୍ବରୁ ୨ ପୁଅଙ୍କ ନିକଟକୁ ପଠାଇଥିଲେ। ଅଫିସରଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଅଫିସର୍ମାନେ ଏହି ଡାଏରୀକୁ ଏକ ପ୍ରମୁଖ ପ୍ରମାଣ ଭାବେ ଗ୍ରହଣ କରିଛନ୍ତି।
Tags:




