ତେଲେଙ୍ଗାନା ଥାନା ବାହାରେ ନିଜ ଦେହରେ ନିଆଁ ଲଗାଇ ପ୍ରାଣ ହାରିଲେ ଚା ଦୋକାନୀ
ହାଇଦ୍ରାବାଦ : ତେଲେଙ୍ଗାନା ନିଜାମାବାଦ ଜିଲ୍ଲାର ଭୀମଗଲ ଥାନାରେ ନିଜ ଦେରେ ନିଆଁ ଲଗାଇ ଦେଇଥିବା ଜଣେ ଚା ଦୋକାନୀଙ୍କର ମଙ୍ଗଳବାର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି। ଘଟଣାର ଗୋଟିଏ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି। ପୁଲିସ ଅନୁଯାୟୀ, ୫୫ ବର୍ଷୀୟ ବ୍ୟକ୍ତିଜଣକ ଦୁଇଜଣ ସ୍ଥାନୀୟ ସାମ୍ବାଦିକଙ୍କ ଦ୍ୱାରା ଦିଆଯାଇଥିବା ଧମକ ନେଇ ଚିନ୍ତିତ ଥିଲେ। ଏଥିସହ ଅନୁମତି ଥିବା ସମୟଠାରୁ ଅଧିକ ସମୟ ରାତିରେ ଚା ଦୋକାନ ଖୋଲା ରଖିବା ନେଇ ତାଙ୍କ ବିରୋଧରେ ଏକ ସାଧାରଣ ମାମଲା ମଧ୍ୟ ରହିଥିଲା। ତେବେ ନିଜାମାବାଦ ପୁଲିସ କମିସନର ପି. ସାଇ ଚୈତନ୍ୟ ସୋମବାର କହିଥିଲେ ଯେ, ଏହି ଘଟଣାରେ ପୁଲିସ ପକ୍ଷରୁ କୌଣସି ତ୍ରୁଟି ହୋଇନାହିଁ। ପୁଲିସ କହିଛି ଯେ, ସୋମବାର ଉକ୍ତ ବ୍ୟକ୍ତି ଏକ ବୋତଲ ପେଟ୍ରୋଲ ଓ ଦିଆସିଲି ନେଇ ଭୀମଗଲ ଥାନା ପରିସରକୁ ପ୍ରବେଶ କରିଥିଲେ। ପରେ ସେ ନିଜ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଥାନାରେ ଥିବା ପୁଲିସ କର୍ମଚାରୀ ଓ ଅନ୍ୟ କିଛି ଲୋକ ନିଆଁ ଲିଭାଇ ତାଙ୍କୁ ହସ୍ପିଟାଲକୁ ନେଇଥିଲେ। ତାଙ୍କ ଶରୀରର ୫୦ ପ୍ରତିଶତରୁ ଅଧିକ ଅଂଶ ପୋଡ଼ିଯାଇଥିବା ସନ୍ଦେହ କରାଯାଉଥିଲା। ଜଣେ ପୁଲିସ ଅଧିକାରୀ କହିଛନ୍ତି, ‘ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ସେ ଆହତ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏକ ସରକାରୀ ହସ୍ପିଟାଲକୁ ପଠାଯାଇଥିବା ଅଧିକାରୀ କହିଛନ୍ତି।
ପୁଲିସ ଅନୁଯାୟୀ, ଦୁଇଜଣ ସ୍ଥାନୀୟ ସାମ୍ବାଦିକଙ୍କ ଦ୍ୱାରା ଦିଆଯାଇଥିବା ଧମକରେ ଚିନ୍ତିତ ହୋଇ ଚା ଦୋକାନୀ ଥାନାକୁ ଯାଇ ସେଠାରେ ନିଜକୁ ନିଆଁ ଲଗାଇଥିଲେ। ପୁଲିସ କହିଛି ଯେ, ଜଣେ ଗ୍ରୋସରି ଦୋକାନ ମାଲିକ ଏହି ଦୁଇ ସାମ୍ବାଦିକଙ୍କୁ ଉକ୍ତ ବ୍ୟକ୍ତିଙ୍କୁ ଧମକ ଦେବା ପାଇଁ ପଠାଇଥିଲେ। ଚା ଦୋକାନୀ ନିକଟରେ ସେହି ଦୋକାନରୁ ସିଗାରେଟ୍ ଓ ଅନ୍ୟ ସାମଗ୍ରୀ କିଣିବା ବନ୍ଦ କରିଦେଇଥିବାରୁ ଏପରି ହୋଇଥିବା ପୁଲିସ କହିଛି। ଏହାଛଡ଼ା, ଅନୁମତି ଥିବା ସମୟସୀମା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚା ଦୋକାନ ଖୋଲା ରଖିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ସାଧାରଣ ମାମଲା ରୁଜୁ ହୋଇଥିଲା। ଜଣେ ସବ୍-ଇନ୍ସପେକ୍ଟର ତାଙ୍କୁ କୋର୍ଟରେ ଜରିମାନା ଦେବାକୁ କହିଥିଲେ। ପୁଲିସ କମିସନର ସାଇ ଚୈତନ୍ୟ ସୋମବାର କହିଥିଲେ ଯେ, ଏହି ଘଟଣାରେ ପୁଲିସ ପକ୍ଷରୁ କୌଣସି ତ୍ରୁଟି ହୋଇନାହିଁ। ଏହି ଘଟଣା ସମ୍ପର୍କରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଥିବା ପୁଲିସ କହିଛି।
Tags:




