ଆତ୍ମ ସମର୍ପଣ କଲେ ତରୁଣ ତେଜପାଲ
ମୁମ୍ବାଇ : ଆତ୍ମସମର୍ପଣ କଲେ ‘ତହେଲକା’ ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲ୍ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସୋମବାର ଗୋଆର ମାପୁସା କୋର୍ଟରେ ତରୁଣ ତେଜପାଲ ଆତ୍ମସମର୍ପଣ କରିଛନ୍ତି । ୨୦୧୩ ରେ ତାଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ଦାୟର କରିଥିଲେ କନିଷ୍ଠ ସହଯୋଗୀ । ଏହି ମାମଲାରେ ବମ୍ବେ ହାଇକୋର୍ଟ ତାଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ବମ୍ବେ ହାଇକୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ତେଜପାଲ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆତ୍ମସମର୍ପଣରୁ ଛାଡ଼ ପାଇବାକୁ ଆବେଦନ କରିଥିଲେ । ତେବେ ଉଚ୍ଚତମ ଅଦାଲତ ଗତମାସରେ ଏହି ଯାଚିକାକୁ ଖାରଜ କରିବା ସହ ୩ ସପ୍ତାହ ମଧ୍ୟରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟ ଦେଇଥିବା ସମୟସୀମା ମଧ୍ୟରେ ହିଁ ତେଜପାଲ୍ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଏହା ପରେ ତାଙ୍କୁ ଜେଲ୍ ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ, ୨୦୧୩ ନଭେମ୍ବର ମାସରେ ଗୋଆର ଏକ ବିଳାସପୂର୍ଣ୍ଣ ହୋଟେଲ ଲିଫ୍ଟ ଭିତରେ ଜଣେ ସହକର୍ମୀ ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ତେଜପାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଥିଲା । ୨୦୨୧ ମେ ରେ ଗୋଆର ମାପୁସା ଜିଲ୍ଲା ଓ ଦୌରା ଅଦାଲତ ପ୍ରମାଣ ଅଭାବରୁ ତେଜପାଲଙ୍କୁ ସମସ୍ତ ଅପରାଧିକ ମାମଲାରୁ ଦୋଷମୁକ୍ତ କରିଥିଲେ । ନିମ୍ନ ଅଦାଲତଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଗୋଆ ସରକାର ବମ୍ବେ ହାଇକୋର୍ଟରେ ଅପିଲ କରିଥିଲେ ।




