ଏମ୍.କେ. ଷ୍ଟାଲିନଙ୍କୁ ହରାଇଥିବା ତାମିଲନାଡୁ ବିଧାୟକ ଭି.ଏସ୍. ବାବୁଙ୍କ ପରଲୋକ
ଚେନ୍ନାଇ: ତାମିଲନାଡ଼ୁ ରାଜନୀତିରେ ଚର୍ଚ୍ଚିତ ଚେହେରା ତଥା ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କୁ ତାଙ୍କ ନିଜ ଗଡ଼ରେ ପରାସ୍ତ କରି ଚର୍ଚ୍ଚାକୁ ଆସିଥିବା ତାମିଲଗା ଭେଟ୍ରି କାଝାଗମ୍ (ଟିଭିକେ) ବିଧାୟକ ଭି.ଏସ୍. ବାବୁଙ୍କ ପରଲୋକ ହୋଇଛି। ଗୁରୁବାର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ଶ୍ୱାସଜନିତ ରୋଗରେ ପୀଡ଼ିତ ଥିବା ବାବୁ ସେପ୍ଟେମ୍ବର ୯ ତାରିଖରେ ଚେନ୍ନାଇସ୍ଥିତ ଏମ୍ଜିଏମ୍ ହେଲ୍ଥକେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେବେଠାରୁ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ଡାକ୍ତରଙ୍କ ଏକ ବହୁବିଭାଗୀୟ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିଲା। ଶେଷରେ ଗୁରୁବାର ଅପରାହ୍ନ ୨ଟା ୨୪ ମିନିଟ୍ରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲର ମେଡିକାଲ ସର୍ଭିସେସ୍ ନିର୍ଦ୍ଦେଶକ ରାଜେଶ ଅଗ୍ରୱାଲ ଏକ ବିବୃତିରେ ସୂଚନା ଦେଇଛନ୍ତି।
୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ କୋଲାଥୁର ଆସନରୁ ଟିଭିକେ ପ୍ରାର୍ଥୀ ଭାବେ ଲଢ଼ି ବାବୁ ଡିଏମ୍କେ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କୁ ପରାସ୍ତ କରିଥିଲେ। ସେ ୮୨,୯୯୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ଷ୍ଟାଲିନଙ୍କୁ ମିଳିଥିଲା ୭୪,୨୦୨ ଖଣ୍ଡ ଭୋଟ୍। ଫଳରେ ୮,୭୯୫ ଭୋଟ୍ ବ୍ୟବଧାନରେ ବାବୁ ବିଜୟୀ ହୋଇଥିଲେ। ଦୀର୍ଘବର୍ଷ ଧରି ଷ୍ଟାଲିନଙ୍କ ଦଖଲରେ ଥିବା କୋଲାଥୁର ଆସନରେ ଏହା ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଥିଲା। ବାବୁ ପୂର୍ବରୁ ଡିଏମ୍କେ ସହ ଜଡ଼ିତ ଥିଲେ। ୨୦୦୬ ମସିହାରେ ସେ ପୁରସାଇୱାକ୍କମ୍ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାସହ ସେ ଉତ୍ତର ଚେନ୍ନାଇ ଡିଏମ୍କେର ଜିଲ୍ଲା ସମ୍ପାଦକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ପରେ ଦଳ ଛାଡ଼ି ଏଆଇଏଡିଏମ୍କେରେ ଯୋଗ ଦେଇଥିଲେ। ୨୦୨୬ ଫେବ୍ରୁଆରିରେ ସେ ଅଭିନେତା ବିଜୟଙ୍କ ଦଳ ଟିଭିକେରେ ସାମିଲ ହୋଇଥିଲେ। ତାଙ୍କ ବିୟୋଗରେ ତାମିଲନାଡୁ ରାଜନୀତିରେ ଏକ ଚର୍ଚ୍ଚିତ ଅଧ୍ୟାୟର ଅବସାନ ଘଟିଛି।
Tags:




