କଂଗ୍ରେସକୁ ତାମିଲନାଡ଼ୁର ଏକମାତ୍ର ରାଜ୍ୟସଭା ଆସନ ଦେଲେ ବିଜୟ
ଚେନ୍ନାଇ : ତାମିଲନାଡ଼ୁରେ ଟିଭିକେ ସହ ମେଣ୍ଟ କଂଗ୍ରେସ ପାର୍ଟି ପାଇଁ ଲାଭଦାୟକ ହୋଇଛି। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁର ଖାଲିଥିବା ଏକମାତ୍ର ରାଜ୍ୟସଭା ଆସନକୁ ମେଣ୍ଟ ସହଯୋଗୀ କଂଗ୍ରେସକୁ ଦେଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ତାମିଲନାଡୁ ପ୍ରଭାରୀ ଗିରିଶ ଚୋଡଙ୍କାର ବିଜୟଙ୍କୁ ଭେଟିବା ପରେ ଏହି ଘୋଷଣା କରାଯାଇଥିଲା। ତାମିଲନାଡୁରେ ଟିଭିକେ ସବୁଠାରୁ ବଡ଼ ଦଳ ହୋଇଥିଲେ ମଧ୍ୟ ସଂଖ୍ୟା ଗରିଷ୍ଠତା ହାସଲ କରିପାରି ନଥିଲା। ଟିଭିକେ କଂଗ୍ରେସ ଓ ଅନ୍ୟ ସହଯୋଗୀ ଦଳମାନଙ୍କ ସହାୟତାରେ ସରକାର ଗଠନ କରିଛି। ସରକାରଙ୍କ ସ୍ଥିରତା ପାଇଁ କଂଗ୍ରେସର ୫ ବିଧାୟକଙ୍କ ସମର୍ଥନ ଗୁରୁତ୍ୱପୂର୍ଣ୍ଣ ରହିଛି।
କଂଗ୍ରେସ ରଣନୀତିଜ୍ଞ ପ୍ରବୀଣ ଚକ୍ରବର୍ତ୍ତୀ ଦଳର ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ତାମିଲନାଡୁରେ କଂଗ୍ରେସ-ଟିଭିକେ ମେଣ୍ଟ ଗଠନର ଶ୍ରେୟ ଚକ୍ରବର୍ତ୍ତୀଙ୍କୁ ଯାଉଛି। ତାମିଲନାଡୁ ବିଧାନସଭାକୁ ନିର୍ବାଚିତ ହେବା ପରେ ଏଆଇଏଡିଏମ୍କେ ନେତା ସିଭି ଷଣ୍ମୁଗମ୍ ସଂସଦରୁ ଇସ୍ତଫା ଦେବା ପରେ ରାଜ୍ୟସଭା ଆସନ ଖାଲି ପଡ଼ିଥିଲା। କଂଗ୍ରେସ ନେତାମାନେ ବିଜୟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। କଂଗ୍ରେସ ସାଂସଦ ଜୋଥିମଣି କହିଛନ୍ତି ଯେ, ଅତିରିକ୍ତ ଆସନ ସଂସଦରେ ଦଳର ସ୍ୱରକୁ ମଜବୁତ କରିବାରେ ସାହାଯ୍ୟ କରିବ। ଏହା ବିଜେପିର ଶକ୍ତିକୁ ମୁକାବିଲା କରିବା ପାଇଁ ରାଜ୍ୟସଭାରେ କଂଗ୍ରେସର ସ୍ୱରକୁ ମଜଭୁତ କରିବ ବୋଲି ସେ କହିଛନ୍ତି।



