ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ : ମଙ୍ଗଳବାର ସୁପ୍ରିମକୋର୍ଟ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ତଥା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ପ୍ରଥମେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସେ ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ ଅଗଷ୍ଟ ୬ ତାରିଖରେ ବମ୍ବେ ହାଇକୋର୍ଟର ଏକ ଖଣ୍ଡପୀଠ ତେଜପାଲଙ୍କୁ ୨୦୧୩ ମସିହାରେ ଜଣେ ପୂର୍ବତନ ସହକର୍ମୀଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍ ଦଣ୍ଡ ଦେଇଥିଲେ। ଏହି ରାୟରେ ୨୦୨୧ ମସିହାର ତାଙ୍କ ନିର୍ଦ୍ଦୋଷ ଖଲାସ ରାୟକୁ ପଲଟାଯାଇଥିଲା। ୬୩ ବର୍ଷୀୟ ପୂର୍ବତନ ସାମ୍ବାଦିକ ତେଜପାଲ ହାଇକୋର୍ଟର ଏହି ରାୟକୁ ଚ୍ୟାଲେଞ୍ଜ କରିଛନ୍ତି ଏବଂ ସେ ନିଜକୁ ଏହି ମାମଲାରେ ଜଣେ ପୀଡ଼ିତ ବୋଲି ଦାବି କରିଛନ୍ତି। ମାମଲାରେ ତେଜପାଲଙ୍କ ଦଣ୍ଡ ବଢ଼ାଇବାକୁ ଗୋଆ ସରକାର ମଧ୍ୟ ସୁପ୍ରିମକୋର୍ଟରେ ଆବେଦନ କରିଛି। ୨୦୧୩ ମସିହାରେ ପାନାଜୀରେ ଏକ ସରକାରୀ କାର୍ଯ୍ୟକ୍ରମ ସମୟରେ ନଭେମ୍ବର ୭ ଓ ୮ ତାରିଖରେ ଏକ ହୋଟେଲ୍ ଲିଫ୍ଟ ଭିତରେ ତେଜପାଲ ତାଙ୍କୁ ଯୌନ ନିର୍ଯାତନା କରିଥିବା ଜଣେ ମହିଳା ସାମ୍ବାଦିକ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ୨୦୧୩ ନଭେମ୍ବର ୩୦ ରେ ତେଜପାଲଙ୍କୁ ଗିରଫ କରାଯାଇଥିଲା। ୨୦୧୭ ସେପ୍ଟେମ୍ବର ୨୯ରେ ଭାରତୀୟ ଦଣ୍ଡ ସଂହିତା (ଆଇପିସିର) ବିଭିନ୍ନ ଧାରା ଅନୁଯାୟୀ ତାଙ୍କ ବିରୋଧରେ ଦୁଷ୍କର୍ମ, ଯୌନ ଉତ୍ପୀଡ଼ନ ଏବଂ ବେଆଇନ ଭାବେ ଅଟକ ରଖିବା ସମେତ ଅନେକ ଅଭିଯୋଗ ହୋଇଥିଲା। ତେବେ ତେଜପାଲ ନିଜକୁ ଦୋଷୀ ନୁହେଁ ବୋଲି କହିଥିଲେ। ୨୦୨୧ ମେ’ ମାସରେ ଗୋଆ ସେସନ୍ସ କୋର୍ଟ ତେଜପାଲଙ୍କୁ ସମସ୍ତ ଅଭିଯୋଗରୁ ନିର୍ଦ୍ଦୋଷ ଖଲାସ କରିଥିଲେ।




