ଆଜମ ଖାନ୍ଙ୍କ ଅନ୍ତରୀଣ ଜାମିନ ବଜାୟ ରଖିଲେ ସୁପ୍ରିମକୋର୍ଟ, ଇଡିର ଆବେଦନ ଖାରଜ
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ୍ଙ୍କୁ ମିଳିଥିବା ଅନ୍ତରୀଣ ଜାମିନକୁ ବଜାୟ ରଖିଛନ୍ତି ସୁପ୍ରିମକୋର୍ଟ। ମନି ଲଣ୍ଡରିଂ ବା ଅର୍ଥ ହେରଫେର ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ଜାମିନ ଆଦେଶକୁ ଚ୍ୟାଲେଞ୍ଜ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦାଖଲ କରିଥିବା ଆବେଦନକୁ ଗୁରୁବାର ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଜଷ୍ଟିସ୍ ଏମ୍.ଏମ୍. ସୁନ୍ଦ୍ରେଶ ଓ ଜଷ୍ଟିସ୍ ପି.ବି. ବରାଲେଙ୍କ ଖଣ୍ଡପୀଠ ଇଡିର ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ। ଖଣ୍ଡପୀଠ କହିଥିଲେ, ଏହା ଏକ ଅନ୍ତରୀଣ ଆଦେଶ ହୋଇଥିବାରୁ ଏଥିରେ ହସ୍ତକ୍ଷେପ କରିବାକୁ ଅଦାଲତ ଇଚ୍ଛୁକ ନୁହନ୍ତି। ଏଥିସହ ହାଇକୋର୍ଟଙ୍କ ପ୍ରାଥମିକ ମତାମତ ମାମଲାର ଚୂଡ଼ାନ୍ତ ରାୟକୁ ପ୍ରଭାବିତ କରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଗତ ନଭେମ୍ବର ୧୭ ତାରିଖରେ ଆଜମ ଖାନ୍ଙ୍କୁ ଆହ୍ଲାବାଦ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଗିରଫ ସମୟରେ ଇଡି ତାଙ୍କୁ ଲିଖିତ ଭାବେ ଗିରଫଦାରିର କାରଣ ଜଣାଇନଥିବା ହାଇକୋର୍ଟ ପ୍ରାଥମିକ ଭାବେ ଜାଣିବାକୁ ପାଇଥିଲେ। ଅନ୍ୟପକ୍ଷରେ, ସୁପ୍ରିମକୋର୍ଟରେ ଇଡି ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ୍.ଭି. ରାଜୁ ଯୁକ୍ତି ଦର୍ଶାଇଥିଲେ ଯେ, ଆଜମ ଖାନ୍ଙ୍କୁ ଗିରଫଦାରିର କାରଣ ଜଣାଇ ଦିଆଯାଇଥିଲା। କିନ୍ତୁ ହାଇକୋର୍ଟ ଏହି ତଥ୍ୟକୁ ଠିକ୍ ଭାବେ ରେକର୍ଡ କରିନାହାନ୍ତି। ଆଜମ ଖାନ୍ଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ମାମଲା ପରିଚାଳନା କରୁଥିଲେ। ଉଲ୍ଲେଖଯୋଗ୍ୟ, ମୌଲାନା ମହମ୍ମଦ ଅଲ୍ଲୀ ଜୌହର ଟ୍ରଷ୍ଟ ସହ ଜଡ଼ିତ କଥିତ ଆର୍ଥିକ ଅନିୟମିତତାକୁ ନେଇ ଇଡି ଏହି ମାମଲାର ତଦନ୍ତ କରୁଛି। ସରକାରୀ ଅର୍ଥର ଅପବ୍ୟବହାର, ଜମି ଅଧିଗ୍ରହଣରେ ଅନିୟମିତତା ଏବଂ ମହମ୍ମଦ ଅଲ୍ଲୀ ଜୌହର ବିଶ୍ୱବିଦ୍ୟାଳୟ ନିର୍ମାଣକୁ ନେଇ ଅଭିଯୋଗ ରହିଛି। ଆଜମ ଖାନ୍ ଏହି ବିଶ୍ୱବିଦ୍ୟାଳୟର ସମ୍ମାନସୂଚକ କୁଳାଧିପତି ଅଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଆହ୍ଲାବାଦ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ନହେବା ପର୍ଯ୍ୟନ୍ତ ଆଜମ ଖାନ୍ଙ୍କ ଅନ୍ତରୀଣ ଜାମିନ ବଳବତ୍ତର ରହିବ। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୦ରେ ହେବାକୁ ସ୍ଥିର ହୋଇଛି।




