ମୀନାକ୍ଷୀ ନଟରାଜନଙ୍କ ପ୍ରାର୍ଥିପତ୍ର ରଦ୍ଦ ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ପ୍ରାର୍ଥିପତ୍ର ନାକଚ କରାଯିବାକୁ ଚାଲେଞ୍ଜ କରି ଦଳ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଉକ୍ତ ମାମଲାରେ ଜରୁରୀ ଶୁଣାଣି ପାଇଁ କଂଗ୍ରେସ ଗୁରୁବାର ସକାଳେ ସର୍ବୋଚ୍ଚ କୋର୍ଟଙ୍କ ଅବକାଶ ଖଣ୍ଡପୀଠ ସମ୍ମୁଖରେ ଆବେଦନ କରିଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ଶୁକ୍ରବାର ଶୁଣାଣି କରିବେ। ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ୍ ଏଏସ୍ ଚନ୍ଦୁରକର୍ଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଆସନ୍ତାକାଲି ମାମଲାର ଶୁଣାଣି କରିବେ। ମୀନାକ୍ଷୀଙ୍କ ପାଇଁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘଭି କୋର୍ଟରେ ପକ୍ଷ ରଖି ଏହି ମାମଲାରେ ଆଜି କିମ୍ବା ଆସନ୍ତାକାଲି ଭିତରେ ଶୁଣାଣି କରିବାକୁ କହିଥିଲେ। କାରଣ ସେ ସ୍ପଷ୍ଟ କରିଥିଲେ ଯେ ଆଜି ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ଦିନ। ଫଳାଫଳ ଘୋଷଣା ଉପରେ ରୋକ ଲଗାଇବା ପାଇଁ ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ। ଉଲ୍ଲେଖଯୋଗ୍ୟ ମୀନାକ୍ଷୀଙ୍କ ବିରୋଧରେ ଅପରାଧିକ ମାମଲା ଥିବା ନେଇ ବିଜେପି ଅଭିଯୋଗ କରିଛି ଏବଂ ସେ ଏହି ତଥ୍ୟ ତାଙ୍କ ପ୍ରାର୍ଥିପତ୍ର ଦାଖଲ ସମୟରେ ପ୍ରଦାନ କରିନାହାନ୍ତି ବୋଲି ଦାବି କରିଛି। ଉକ୍ତ ପ୍ରସଙ୍ଗରେ ବିଜେପି ମୀନାକ୍ଷୀଙ୍କ ବିରୋଧରେ ଅଭିଯୋଗ କରିବାପରେ ତାଙ୍କ ପ୍ରାର୍ଥିପତ୍ର ରଦ୍ଦ କରାଯାଇଛି।



