ରିଲିଫ୍ ଶିବିରରେ ମୃତ୍ୟୁକୁ ନେଇ ମଣିପୁର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ଇମ୍ଫାଲ :ମଣିପୁରର ରିଲିଫ୍ ଶିବିର ଗୁଡ଼ିକରେ ଘଟିଥିବା ଅସ୍ୱାଭାବିକ ମୃତ୍ୟୁ ଏବଂ ଯୌନ ଉତ୍ପୀଡ଼ନ ମାମଲାକୁ ନେଇ ସୁପ୍ରିମ୍ କୋର୍ଟ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରି କୋର୍ଟ ମଣିପୁରର ମୁଖ୍ୟ ସଚିବଙ୍କୁ ସମସ୍ତ ୨୫ଟି ସନ୍ଦେହଜନକ ମୃତ୍ୟୁ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦେବାକୁ କହିଛନ୍ତି। ଏଥିରେ ପୋଷ୍ଟମର୍ଟମ୍ ରିପୋର୍ଟ ଏବଂ ମୃତ୍ୟୁର କାରଣ ସମ୍ପର୍କିତ ଦସ୍ତାବିଜ ମଧ୍ୟ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୩ ମସିହାର ମଣିପୁର ଜାତିଗତ ହିଂସା ସହ ଜଡିତ ଯୌନ ହିଂସା ମାମଲାର ତଦନ୍ତ ଏବଂ ଆଇନଗତ ପ୍ରକ୍ରିୟା ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି କରୁଥିଲେ। ରିଲିଫ୍ କ୍ୟାମ୍ପରେ ବିସ୍ଥାପିତଙ୍କ ସୁରକ୍ଷା ନେଇ ପ୍ରଶ୍ନ ଜମ୍ମୁ-କଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଗୀତା ମିତ୍ତଲଙ୍କ ନେତୃତ୍ୱରେ ଗଠିତ କମିଟିର ରିପୋର୍ଟକୁ ଉଲ୍ଲେଖ କରି କୋର୍ଟ ରିଲିଫ୍ କ୍ୟାମ୍ପରେ ରହୁଥିବା ବିସ୍ଥାପିତ ଲୋକଙ୍କ ସୁରକ୍ଷା ଏବଂ ସମ୍ମାନ ନେଇ ଗୁରୁତର ପ୍ରଶ୍ନ ଉଠାଇଥିଲେ। ଜୁଲାଇ ୪ ତାରିଖରେ କମିଟି ମଣିପୁରର ରିଲିଫ୍ କ୍ୟାମ୍ପରେ ରହୁଥିବା ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ୨୫ଟି ଅସ୍ୱାଭାବିକ ମୃତ୍ୟୁ ସମ୍ପର୍କରେ ତଥ୍ୟ ମାଗିଥିଲା। ଏହି ତଥ୍ୟର କ’ଣ ଅଗ୍ରଗତି ହୋଇଛି, ସେନେଇ କୋର୍ଟ ମଣିପୁରର ଆଡଭୋକେଟ୍ ଜେନେରାଲଙ୍କୁ ମଧ୍ୟ ପ୍ରଶ୍ନ କରିଥିଲେ। ପ୍ରଧାନ ବିଚାରପତି ରାଜ୍ୟ ସରକାରଙ୍କୁ କଡ଼ା ଭାବରେ କହିଥିଲେ, ‘ଆପଣଙ୍କ ମୁଖ୍ୟ ସଚିବଙ୍କୁ କୁହନ୍ତୁ ଯେ କୋର୍ଟକୁ କୌଣସି ଆଦେଶ ପାରିତ କରିବାକୁ ବାଧ୍ୟ କରନ୍ତୁ ନାହିଁ। ଆପଣମାନେ କ’ଣ ପଦକ୍ଷେପ ନେଇଛନ୍ତି, ଆମକୁ ଜଣାନ୍ତୁ। ମଣିପୁରର ୮ଟି ଜିଲ୍ଲାର ରିଲିଫ୍ କ୍ୟାମ୍ପଗୁଡ଼ିକରେ ମୋଟ ୬୪୦ଟି ମୃତ୍ୟୁ ରେକର୍ଡ ହୋଇଛି। ଏହି ଘଟଣାଗୁଡ଼ିକରେ ଅପରାଧିକ ମାମଲା ରୁଜୁ ହୋଇଥିଲେ ମଧ୍ୟ କେବଳ ୨୦ଟି ମୃତ୍ୟୁ ମାମଲାରେ ପୋଷ୍ଟମର୍ଟମ୍ କରାଯାଇଥିଲା। କେବଳ ୨୦ଟି ମାମଲାରେ କାହିଁକି ପୋଷ୍ଟମର୍ଟମ୍ କରାଯାଇଛି ଏବଂ ଅନେକ ମାମଲାରେ ମାତ୍ର ୨୦,୦୦୦ରୁ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ କାହିଁକି ଦିଆଯାଇଛି, ସେନେଇ ମଧ୍ୟ କୋର୍ଟ ପ୍ରଶ୍ନ କରିଥିଲେ। ସମସ୍ତ ସନ୍ଦେହଜନକ ମୃତ୍ୟୁରେ ଏତଲା ଓ ତଦନ୍ତ ନିର୍ଦ୍ଦେଶ ମଣିପୁର ଲିଗାଲ୍ ସର୍ଭିସେସ୍ ଅଥରିଟିକୁ ତୁରନ୍ତ ପଦକ୍ଷେପ ନେବାକୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଏତଲା ରୁଜୁ କରାଯାଉ ଏବଂ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଉପଯୁକ୍ତ ତଦନ୍ତ କରାଯାଉ ବୋଲି କୋର୍ଟ କହିଛନ୍ତି। ଶୁଣାଣି ସମୟରେ ଅତିରିକ୍ତ ସଲିସିଟର ଜେନେରାଲ୍ ଐଶ୍ୱର୍ଯ୍ୟା ଭାଟୀ କୋର୍ଟଙ୍କୁ ଜଣାଇଥିଲେ ଯେ ୮ଟି ଜିଲ୍ଲାରେ ମୋଟ ୪୨ଟି ବିଶେଷ ତଦନ୍ତ ଦଳ (ଏସ୍ଆଇଟି) ଗଠନ କରାଯାଇଛି। ମୋଟ ୩,୦୨୦ଟି ମାମଲାର ତଦନ୍ତ ଚାଲିଛି। ୩୦୨ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି ଏବଂ ୧,୫୮୩ଟି ମାମଲାରେ କ୍ଲୋଜର୍ ରିପୋର୍ଟ ଦିଆଯାଇଛି। ଆଉ ୧,୧୩୫ଟି ମାମଲାର ତଦନ୍ତ ଚାଲିଥିବାବେଳେ ୩୩ଟି ମାମଲାରେ ମକଦ୍ଦମା ଆରମ୍ଭ ହୋଇଛି। ପୀଡ଼ିତମାନଙ୍କ ପକ୍ଷରୁ ଉପସ୍ଥିତ ଓକିଲ୍ କହିଥିଲେ ଯେ ଗୁଆହାଟୀର ବିଶେଷ କୋର୍ଟରେ ସପ୍ତାହକୁ କେବଳ ଦୁଇ ଦିନ ମାମଲାର ଶୁଣାଣି ହେଉଛି। ଏହାର ଉତ୍ତରରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଥିଲେ ଯେ ସପ୍ତାହକୁ ଦୁଇ ଦିନ ଶୁଣାଣି ହେଲେ ମଧ୍ୟ ମାମଲାର ବିଚାର ପ୍ରକ୍ରିୟା ଆଗକୁ ବଢ଼ିବ। ତେବେ ସିବିଆଇ ତଦନ୍ତ ସହ ଜଡିତ ମାମଲାଗୁଡ଼ିକର ଶୁଣାଣି ପାଇଁ ଆଉ ଦୁଇଟି ବିଶେଷ କୋର୍ଟ ସ୍ଥାପନ କରିବାର ସମ୍ଭାବନା ମଧ୍ୟ ଯାଞ୍ଚ କରାଯିବା ଉଚିତ ବୋଲି ସେ କହିଥିଲେ। ଏହି ସମ୍ପର୍କରେ ଗୁଆହାଟୀ ହାଇକୋର୍ଟର ଆବଶ୍ୟକତାଗୁଡ଼ିକୁ ତୁରନ୍ତ ପୂରଣ କରିବା ବିଷୟରେ କେନ୍ଦ୍ର ସରକାର ବିଚାର କରନ୍ତୁ ବୋଲି ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।




