୯ମ ଶ୍ରେଣୀ ପାଇଁ CBSEର ତ୍ରିଭାଷୀ ନିୟମ ,ଜବାବ ମାଗିଲେ ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ : ୨୦୨୬-୨୭ ଶିକ୍ଷାବର୍ଷରୁ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ତୃତୀୟ ଭାଷା ବାଧ୍ୟତାମୂଳକ କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) । ଏହା ଜୁଲାଇ ୧ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ ହେବାକୁ ଯାଉଛି । ଛାତ୍ରଛାତ୍ରୀମାନଙ୍କୁ ପରବର୍ତ୍ତୀ ଶିକ୍ଷାବର୍ଷରୁ ତିନୋଟି ଭାଷା ପଢ଼ିବାକୁ ପଡିବ ।ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ପିଟିଶନ୍କୁ ଅନୁଧ୍ୟାନ କରିବାକୁ ସୁପ୍ରିମକୋର୍ଟ ବୁଧବାର ରାଜି ହୋଇଛନ୍ତି । ଏ ସଂକ୍ରାନ୍ତରେ ମାନ୍ୟବର ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାର, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଏବଂ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (ଏନସିଇଆରଟି) ଠାରୁ "ବିସ୍ତୃତ ଜବାବ" ମାଗିଛନ୍ତି ।
ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗ୍ଚୀ ଏବଂ ବିପୁଲ ଏମ୍. ପାଞ୍ଚୋଲିଙ୍କ ଖଣ୍ଡପୀଠ ଏନେଇ କେନ୍ଦ୍ର ସରକାର, ସିବିଏସ୍ଇ ଏବଂ ଏନ୍ସିଇଆର୍ଟିକୁ ନୋଟିସ ଜାରିକରି ୨ ସପ୍ତାହ ମଧ୍ୟରେ ବିସ୍ତୃତ ଜବାବ ମାଗିଛନ୍ତି । ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ସିବିଏସ୍ଇର ସାମଗ୍ରିକ ପରିଚାଳନା ପ୍ରସ୍ତୁତି ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ଶୀର୍ଷ ଅଦାଲତ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟ୍ଟିଙ୍କୁ ନିର୍ଦ୍ଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ଦ୍ୱିତୀୟ ସପ୍ତାହକୁ ଧାର୍ଯ୍ୟ କରିଛନ୍ତି।
ଆବେଦନକାରୀ ୟାଶିକା ଭଣ୍ଡାରୀ ଜୈନ ଓ ଅନ୍ୟମାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଏବଂ ଅନ୍ୟ ପିଟିଶନରମାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଉପସ୍ଥିତ ରହି କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ। ଏହା ସଂଘବାଦ ଓ ଚୟନ କରିବାର ସାମ୍ବିଧାନିକ ପ୍ରସଙ୍ଗ ସହ ଜଡ଼ିତ। ଭାଷା ହେଉଛି ଚୟନର ବିଷୟ, ଏହାକୁ ଲଦିଦିଆଯାଇ ପାରିବ ନାହିଁ ବୋଲି ସିବଲ ଯୁକ୍ତି ଦର୍ଶାଇଥିଲେ। ତେବେ ସର୍ବୋଚ୍ଚ ଅଦାଲତ କୌଣସି ଅନ୍ତରୀଣ ନିର୍ଦ୍ଦେଶ ନ ଦେଇ ଜୁଲାଇରେ ଶୁଣାଣି କରିବାକୁ କହିଥିଲେ।
ସେହିପରି ମୁକୁଲ ରୋହତଗୀ ଦାଖଲ କରିଛନ୍ତି ଯେ ସର୍କୁଲାର ଅନୁଯାୟୀ, ଛାତ୍ରଛାତ୍ରୀମାନଙ୍କୁ ପରବର୍ତ୍ତୀ ଶିକ୍ଷାବର୍ଷରୁ ତିନୋଟି ଭାଷା ପଢ଼ିବାକୁ ପଡିବ। ତେବେ ବର୍ତ୍ତମାନ ସୁଦ୍ଧା ପାଠ୍ୟପୁସ୍ତକ ମଧ୍ୟ ଉପଲବ୍ଧ ହୋଇ ପାରିନାହିଁ ବୋଲି ମୁକୁଲ ରୋହତଗୀ ଦାଖଲ ଦାଖଲ କରିଥିବା ପିଟିଶନ ରେ ଦର୍ଶାଇଛନ୍ତି ।
ସୂଚନାନୁସାରେ, ସିବିଏସ୍ଇ ନିକଟରେ ଜାରି କରିଥିବା ସର୍କୁଲାର ଅନୁଯାୟୀ, ଜୁଲାଇ ୧ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ୨ ଭାରତୀୟ ଭାଷା ସମେତ ୩ଟି ଭାଷା ପଢ଼ିବା ବାଧ୍ୟତାମୂଳକ କରାଯାଇଛି। ଜାତୀୟ ଶିକ୍ଷାନୀତି ୨୦୨୦ ଏବଂ ବିଦ୍ୟାଳୟ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ୨୦୨୩ର ସହ ସମାନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ମାଧ୍ୟମିକ ସ୍ତର ପାଇଁ ନିର୍ଦ୍ଧାରିତ ଦକ୍ଷତାଗୁଡ଼ିକୁ ପର୍ଯ୍ୟାପ୍ତ ଭାବେ ପୂରଣ କରିବା ନିମନ୍ତେ ଉକ୍ତ ପାଠ୍ୟପୁସ୍ତକଗୁଡ଼ିକୁ ଗୋଟିଏ ଉପଯୁକ୍ତ ସ୍ଥାନୀୟ କିମ୍ବା ରାଜ୍ୟ ସାହିତି୍ୟକ ଉପାଦାନ ଯଥା କ୍ଷୁଦ୍ରଗଳ୍ପ, କବିତା କିମ୍ବା ପ୍ରବନ୍ଧ ସହ ସଂଯୁକ୍ତ କରାଯିବ, ଯାହାକୁ ବିଦ୍ୟାଳୟଗୁଡ଼ିକ ଚୟନ କରିବେ।




