ନେଗେଟିଭ୍ କଟ୍-ଅଫ୍‌କୁ ନେଇ କେନ୍ଦ୍ର ଓ ଏନ୍‌ଏମ୍‌ସିକୁ ସୁପ୍ରିମ୍‌କୋର୍ଟ ନୋଟିସ୍

ନେଗେଟିଭ୍ କଟ୍-ଅଫ୍‌କୁ ନେଇ କେନ୍ଦ୍ର ଓ ଏନ୍‌ଏମ୍‌ସିକୁ ସୁପ୍ରିମ୍‌କୋର୍ଟ ନୋଟିସ୍

ନୂଆଦିଲ୍ଲୀ:  ଚିକିତ୍ସା ଶିକ୍ଷାର ମାନଦଣ୍ଡକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ସୁପ୍ରିମକୋର୍ଟ ନିଟ୍‌ ପିଜି ୨୦୨୫ ପାଇଁ ଯୋଗ୍ୟତା କଟ୍-ଅଫ୍‌କୁ ‘ଶୂନ’ ଏବଂ ‘ନେଗେଟିଭ୍’ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ   ଆବେଦନ ଉପରେ କେନ୍ଦ୍ର ସରକାର ଏବଂ ନ୍ୟାସନାଲ ମେଡିକାଲ କମିସନ (ଏନ୍‌ଏମ୍‌ସି)କୁ ନୋଟିସ ଜାରି କରିଛନ୍ତି। ଜଷ୍ଟିସ ପି.ଏସ୍‌. ନରସିଂହା ଏବଂ ଜଷ୍ଟିସ ଆଲୋକ ଅରାଧେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଆସନ୍ତା ୬ ତାରିଖରେ ପରବର୍ତ୍ତୀ ଶୁଣାଣି ନିମନ୍ତେ ଧାର୍ଯ୍ୟ କରିଛନ୍ତି। ନ୍ୟାସନାଲ ବୋର୍ଡ ଅଫ୍ ଏକ୍‌ଜାମିନେସ୍ସ (ଏନ୍‌ବିଇଏମ୍‌ଏସ୍‌) ଦ୍ୱାରା ଜାନୁଆରି ୧୩, ୨୦୨୬ରେ ଜାରି କରାଯାଇଥିବା ଏକ ନୋଟିସ ଅନୁଯାୟୀ, ଦେଶରେ ଖାଲି ପଡ଼ିଥିବା ପ୍ରାୟ ୧୮,୦୦୦ ରୁ ଅଧିକ ପିଜି ସିଟ୍ ଭରିବା ପାଇଁ କଟ୍-ଅଫ୍‌କୁ ଅପ୍ରତ୍ୟାଶିତ ଭାବେ ହ୍ରାସ କରାଯାଇଥିଲା। ସଂଶୋଧିତ ନିୟମ ଅନୁଯାୟୀ, ସାଧାରଣ ବର୍ଗ ପାଇଁ କଟ୍-ଅଫ୍ ମାତ୍ର ୭ ପର୍ସେଣ୍ଟାଇଲ୍ ଏବଂ ସଂରକ୍ଷିତ ବର୍ଗ ପାଇଁ ଏହାକୁ ଶୂନ(୦) କରାଯାଇଛି। ଆବେଦନକାରୀ ଦର୍ଶାଇଛନ୍ତି ଯେ, ଏଭଳି ନିଷ୍ପତ୍ତି ଦ୍ୱାରା ଚିକିତ୍ସା କ୍ଷେତ୍ରର ମାନଦଣ୍ଡ ହ୍ରାସ ପାଇବ ଏବଂ ଏହା ରୋଗୀଙ୍କ ସୁରକ୍ଷା ତଥା ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବ। ଯୋଗ୍ୟତା ବିନା ଡାକ୍ତରୀ ଶିକ୍ଷାରେ ପ୍ରବେଶ ଅନୁମତି ଦେବା ସମ୍ବିଧାନର ଧାରା ୧୪ ଏବଂ ୨୧ ର ଉଲ୍ଲଂଘନ ବୋଲି ଯୁକ୍ତି କରାଯାଇଛି।  କୋର୍ଟ ଏବେ ଉକ୍ତ ପ୍ରସଙ୍ଗରେ କେନ୍ଦ୍ରର ଜବାବକୁ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର ଟ୍ରମ୍ପଙ୍କ ଶୁଳ୍କ ହ୍ରାସ ପରେ ମୋଦୀଙ୍କୁ କଟାକ୍ଷ କଲା କଂଗ୍ରେସ

Tags: