ସୁପ୍ରିମକୋର୍ଟଙ୍କୁ ମିଳିଲେ ୫ ନୂଆ ବିଚାରପତି

ସୁପ୍ରିମକୋର୍ଟଙ୍କୁ ମିଳିଲେ ୫ ନୂଆ ବିଚାରପତି
Samaya Live Desk Picture
Published On

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂତନ ବିଚାରପତି ନିଯୁକ୍ତ ହୋଇଛନ୍ତି। ସିଜେଆଇ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ କଲେଜିୟମ  ସୁପ୍ରିମକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଁ ୫ ଜଣଙ୍କ ନାମ ସୁପାରିସ କରିଥିଲେ। ଏଥିରେ ଚାରୋଟି ଭିନ୍ନ ଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି ଅନ୍ତର୍ଭୁକ୍ତ ଅଛନ୍ତି। ଏହା ସହିତ ଜଣେ ବରିଷ୍ଠ ଆଇନଜୀବୀ ମଧ୍ୟ ତାଲିକାରେ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟରେ ନିଯୁକ୍ତ ବିଚାରପତିଙ୍କ ମଧ୍ୟରେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଚନ୍ଦ୍ରଶେଖରଙ୍କ ନାମ ଅନ୍ତର୍ଭୁକ୍ତ ରହିଛି। ଏହା ସହିତ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଶୀଳ ନାଗୁ, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ସଚ୍ଚଦେବ,ଜମ୍ମୁ-କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଅରୁଣ ପାଲିଙ୍କ ନାମ ତାଲିକାରେ ରହିଛି। ବରିଷ୍ଠ ଆଇନଜୀବୀ ଭି. ସୁବ୍ରମଣି ମୋହନାଙ୍କୁ ମଧ୍ୟ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରାଯାଇଛି। ଆଇନ ମନ୍ତ୍ରଣାଳୟ ସୋମବାର ସକାଳେ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ଅର୍ଜୁନ ରାମ ମେଘୱାଲ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି, ଭାରତୀୟ ସମ୍ବିଧାନର ଧାରା ୧୨୪ (୨) ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି, ରାଷ୍ଟ୍ରପତି, ପ୍ରଧାନ ବିଚାରପତିଙ୍କ ସହ ପରାମର୍ଶ କରିବା ପରେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି ନିଯୁକ୍ତ କରିଛନ୍ତି। ମୁଁ ସେମାନଙ୍କୁ ଶୁଭକାମନା ଜଣାଉଛି।

ଭି. ସୁବ୍ରମଣି ମୋହନା ଆଇନଜୀବୀରୁ ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ହୋଇଛନ୍ତି। କୌଣସି ଆଇନଗତ ପୃଷ୍ଠଭୂମି ନଥିବା ପରିବାରରେ ଜନ୍ମଗ୍ରହଣ କରି, ସେ ୧୯୮୩ ମସିହାରେ କୋଏମ୍ବାଟୁରର ସରକାରୀ ଆଇନ କଲେଜର ପ୍ରଥମ ବ୍ୟାଚ୍‌ରେ ଯୋଗ ଦେଇଥିଲେ। ସେତେବେଳେ ଭାରତରେ ପ୍ରଥମ ଥର ପାଇଁ ପାଞ୍ଚ ବର୍ଷିଆ ସମନ୍ୱିତ ଆଇନ ପାଠ୍ୟକ୍ରମ ପ୍ରଚଳନ କରାଯାଇଥିଲା।

 

Tags: