ମୀନାକ୍ଷୀ ନଟରାଜନଙ୍କୁ ସୁପ୍ରିମକୋର୍ଟରେ ଝଟ୍କା
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ପ୍ରାର୍ଥିପତ୍ର ରଦ୍ଦକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି କରି ଆଜି ସୁପ୍ରିମକୋର୍ଟ କହିଛନ୍ତି, ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଖାରଜ ହେବା ପରେ, ନିର୍ବାଚନକ କମିସନ୍ଙ୍କ ନିକଟକୁ ଯିବା ଉଚିତ। ବିଚାରପତି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ ଅତୁଲ ଏସ୍ ଚାନ୍ଦୁରକରଙ୍କ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ, କୋର୍ଟ ଏହି ପର୍ଯ୍ୟାୟରେ ହସ୍ତକ୍ଷେପ କରିପାରିବେ କି ନାହିଁ ଓ ନଟରାଜନଙ୍କୁ ଏପରି ହସ୍ତକ୍ଷେପ ହୋଇଥିବା କୌଣସି ଉଦାହରଣ ଦେବାକୁ କହିଥିଲେ। ନିଷ୍ପତ୍ତି ଯେତେ ଭୁଲ ହେଉନା କାହିଁକି, ନାମାଙ୍କନ ଖାରଜ ହେବା ପରେ, ପ୍ରତିକାର ସାଧାରଣତଃ ଅନ୍ୟତ୍ର ରହିଥାଏ ବୋଲି କୋର୍ଟ କହିଥିଲେ ଏବଂ ମୀନାକ୍ଷୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।
ନଟରାଜନଙ୍କ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଓକିଲ ଅଭିଷେକ ସିଂଘଭି ଯୁକ୍ତି ବାଢ଼ିଥିଲେ ଯେ, ପ୍ରାର୍ଥୀମାନଙ୍କୁ କେବଳ ଦୁଇ ବର୍ଷ ପାଇଁ ସର୍ବନିମ୍ନ ଦଣ୍ଡ ବିଧାନ ସମ୍ପନ୍ନ ଅପରାଧିକ ମାମଲା ପ୍ରକାଶ କରିବାକୁ ପଡିବ ଓ ବର୍ତ୍ତମାନର ମାମଲାରେ କେବଳ ସମନ ଜାରି କରାଯାଇଥିଲା। ସେ ଯୁକ୍ତି ଦର୍ଶାଇଥିଲେ ଯେ, ମଧ୍ୟପ୍ରଦେଶର ରାଜ୍ୟସଭା ନିର୍ବାଚନ ପାଇଁ ନଟରାଜନଙ୍କ ପ୍ରାର୍ଥିପତ୍ରକୁ ଜନପ୍ରତିନିଧି ଆଇନ ଅନୁଯାୟୀ ଏକ ଅପରାଧିକ ମାମଲା ପ୍ରକାଶ ନକରିବା ଅଭିଯୋଗରେ ରିଟର୍ଣ୍ଣିଂ ଅଫିସର ପ୍ରାର୍ଥୀପତ୍ର ଭୁଲ ଭାବରେ ଖାରଜ କରିଦେଇଥିଲେ। ରିଟର୍ଣ୍ଣିଂ ଅଫିସର ଅରବିନ୍ଦ ଶର୍ମା କହିଥିଲେ ଯେ, ଡକ୍ୟୁମେଣ୍ଟଗୁଡ଼ିକର ଯାଞ୍ଚରୁ ଜଣାପଡ଼ିଛି ଯେ, ନଟରାଜନ ଏକ ଅସମ୍ପୂର୍ଣ୍ଣ ସତ୍ୟପାଠ ଦାଖଲ କରିଛନ୍ତି ଓ ତାଙ୍କ ନାମାଙ୍କନ ପତ୍ର ସହିତ ଦାଖଲ ହୋଇଥିବା ଫର୍ମ ୨୬ରେ କୋର୍ଟ ଅଭିଯୋଗର ବିବରଣୀକୁ ବାଦ ଦେଇଛନ୍ତି। ମଧ୍ୟପ୍ରଦେଶ ବିଧାନସଭାର ଜଣେ ଅଧିକାରୀଙ୍କ ଅନୁଯାୟୀ, ବିଜେପି ପ୍ରାର୍ଥୀ ମହେଶ କେୱଟ୍ ଅଭିଯୋଗ ଦାଖଲ କରିଥିଲେ ଯେ, ନଟରାଜନ୍ ତାଙ୍କ ନିର୍ବାଚନୀ ଶପଥପତ୍ରରେ ତେଲେଙ୍ଗାନାରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରକାଶ କରି ନାହାନ୍ତି।
Tags:



