ସିଜେପି ନେତାଙ୍କ ମାମଲାର ଶୁଣାଣି ବେଳେ ଫ୍ରାନ୍ସ ଦଙ୍ଗାର ଉଦାହରଣ ଦେଲେ ଦିଲ୍ଲୀ ହାଇକୋର୍ଟ

 ସିଜେପି ନେତାଙ୍କ ମାମଲାର ଶୁଣାଣି ବେଳେ ଫ୍ରାନ୍ସ ଦଙ୍ଗାର ଉଦାହରଣ ଦେଲେ ଦିଲ୍ଲୀ ହାଇକୋର୍ଟ
Samaya Live Desk Picture
Published On

ନୂଆଦିଲ୍ଲୀ,: କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କ ଗିରଫ ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ବୁଧବାର ଦିଲ୍ଲୀ ହାଇକୋର୍ଟ ଫ୍ରାନ୍ସରେ ଚାଲିଥିବା ଛାତ୍ର ଆନ୍ଦୋଳନର ଉଦାହରଣ ଦେଇଛନ୍ତି। ଫ୍ରାନ୍ସରେ ଛାତ୍ରମାନଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ପ୍ରତିବାଦ ପରେ ଅଗ୍ନିକାଣ୍ଡ ଓ ଲୁଟ୍‌ପାଟ୍‌ର ରୂପ ନେଇଥିବା କୋର୍ଟ ଉଲ୍ଲେଖ କରିଥିଲେ। ଜଷ୍ଟିସ୍ ସୁବ୍ରମଣିୟମ୍ ପ୍ରସାଦଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଥିଲେ ଯେ ପ୍ରତିବାଦ ପାଇଁ ପୋଲିସର ଅନୁମତି ନେବାର ଉଦ୍ଦେଶ୍ୟ କେବଳ ଆନ୍ଦୋଳନକାରୀଙ୍କୁ ରୋକିବା ନୁହେଁ, ବରଂ ଅନ୍ୟ ଲୋକଙ୍କ ଯୋଗଦାନ ଯୋଗୁ ଆନ୍ଦୋଳନରେ ବାଧା ସୃଷ୍ଟିକୁ ରୋକିବା ମଧ୍ୟ। ସିଜେପି ନେତାମାନଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରିବା ଆଦେଶକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଏକ ଆବେଦନର ଜରୁରୀ ଶୁଣାଣି ପାଇଁ ହାଇକୋର୍ଟ ରାଜି ହୋଇଥିଲେ। ସେମାନଙ୍କ ହେପାଜତ ଅବଧି ବୁଧବାର ଶେଷ ହେଉଛି। ଅକ୍ଟୋବର ୧୩ ତାରିଖରେ ଜନ୍ତରମନ୍ତରରେ ଅନଧିକୃତ ଭାବେ ପ୍ରବେଶ କରି ତ୍ରିରଙ୍ଗା ଉତ୍ତୋଳନ କରିବା ଅଭିଯୋଗରେ ରଙ୍କା ଓ ଦାସଙ୍କୁ ଗିରଫ କରାଯାଇଥିଲା। ସେମାନେ ପୋଲିସ ବ୍ୟାରିକେଡ୍ ଡେଇଁ ସ୍ଥାନରେ ପ୍ରବେଶ କରିବା ସହ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସ୍ଲୋଗାନ ଦେଇଥିଲେ। ଶୁଣାଣି ସମୟରେ ଜଷ୍ଟିସ୍ ପ୍ରସାଦ ପ୍ରଶ୍ନ କରିଥିଲେ ଯେ ଜନ୍ତରମନ୍ତରକୁ ପ୍ରତିବାଦ ସ୍ଥଳ ଭାବେ ଅଧିସୂଚନାରୁ ବାଦ୍ ଦିଆଯାଇଥିଲେ ପରେ ମଧ୍ୟ ସେମାନେ ସେଠାକୁ କାହିଁକି ଯାଇଥିଲେ। କୋର୍ଟ କହିଥିଲେ, ବ୍ୟାରିକେଡ୍ ଏକ ଉଦ୍ଦେଶ୍ୟରେ ରଖାଯାଇଥାଏ। ଆପଣ ଯେତେବେଳେ ବ୍ୟାରିକେଡ୍ ଭାଙ୍ଗନ୍ତି, ସେତେବେଳେ ଅଧିକ ଲୋକ ସେଠାକୁ ଆସିବାର ସମ୍ଭାବନା ରହିଥାଏ। ସେମାନଙ୍କ ମଧ୍ୟରୁ କିଛି ଲୋକ ହୁଏତ ଆପଣଙ୍କ ନିୟନ୍ତ୍ରଣରେ ନଥାଇପାରନ୍ତି। ଫ୍ରାନ୍ସର ଛାତ୍ର ଆନ୍ଦୋଳନ ସମ୍ପର୍କରେ ଉଲ୍ଲେଖ କରି କୋର୍ଟ କହିଥିଲେ, ଆମ ଦେଶ ବାହାରେ ମଧ୍ୟ ଏପରି ଘଟଣା ଦେଖିବାକୁ ମିଳୁଛି। ଛାତ୍ର ଆନ୍ଦୋଳନ ଭାବେ ଆରମ୍ଭ ହୋଇଥିବା ଘଟଣା ଏବେ ଅଗ୍ନିକାଣ୍ଡ ଓ ଲୁଟ୍‌ପାଟ୍‌ରେ ପରିଣତ ହୋଇଛି। ସେଥିପାଇଁ ପୋଲିସର ଅନୁମତି ଆବଶ୍ୟକ। ଏହା କେବଳ ଆପଣଙ୍କୁ ରୋକିବା ପାଇଁ ନୁହେଁ, ବରଂ ଅନ୍ୟମାନେ ଆପଣଙ୍କ ସହ ଯୋଗ ଦେଇ ଆପଣଙ୍କ ନାମ ଖରାପ କରିବାକୁ ରୋକିବା ପାଇଁ ମଧ୍ୟ। ପ୍ରତିବାଦ ପାଇଁ ଅଧିସୂଚନାରୁ ବାଦ୍ ଦିଆଯାଇଥିବା ସ୍ଥାନରେ ଆନ୍ଦୋଳନ କରିବା ଏତେ ଗୁରୁତର ଅପରାଧ କି ନୁହେଁ, ଯାହା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ, ସେ ନେଇ ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଥିଲେ। ତେବେ କାର୍ଯ୍ୟାନୁଷ୍ଠାନର ଆଇନଗତ ବୈଧତା ଏକ ପୃଥକ ପ୍ରସଙ୍ଗ ଏବଂ ଏହାର ଯାଞ୍ଚ କରାଯିବ ବୋଲି କୋର୍ଟ କହିଥିଲେ। କୋର୍ଟ କହିଥିଲେ, ‘ଆପଣ ସେଠାକୁ ଯାଇ ବ୍ୟାରିକେଡ୍ ଭାଙ୍ଗିଥିଲେ। ସେହି ପ୍ରସଙ୍ଗକୁ ଆମେ ଦେଖିବୁ। ଶୁଣାଣି ସମୟରେ ହାଇକୋର୍ଟ ସିଜେପି ନେତାମାନଙ୍କ ବୟସ ମଧ୍ୟ ପଚାରିଥିଲେ। ସୌରଭ ଦାସଙ୍କ ବୟସ ୨୬ ବର୍ଷ ହୋଇଥିବାବେଳେ ଆଶୁତୋଷ ରଙ୍କାଙ୍କ ବୟସ ୩୧ ବର୍ଷ। କୋର୍ଟ ଥଟ୍ଟା କରି କହିଥିଲେ, ତାହେଲେ ଆପଣମାନେ ଜେନ୍‌-ଜି ନୁହନ୍ତି। ମିଲେନିଆଲ୍‌ମାନେ କେଉଁ ବୟସ ବର୍ଗରେ ଆସନ୍ତି?” କୋର୍ଟ ଏହା ମଧ୍ୟ ମତ ଦେଇଥିଲେ ଯେ ଯଦିଓ ଆନ୍ଦୋଳନଟି ପ୍ରଥମେ ଛାତ୍ର ଆନ୍ଦୋଳନ ଭାବେ ଆରମ୍ଭ ହୋଇଥିଲା, ପରେ ଏହାର ଉଦ୍ଦେଶ୍ୟ ବଦଳିଯାଇଥିଲା। ଖଣ୍ଡପୀଠ କହିଥିଲେ, ଲୋକମାନେ ସେହି ଅଛନ୍ତି, କିନ୍ତୁ ଉଦ୍ଦେଶ୍ୟ ବଦଳିଯାଇଛି। ପରବର୍ତ୍ତୀ ପ୍ରଶ୍ନ ହେଉଛି—ଆପଣ କିଏ, ଆପଣଙ୍କ ପରିଚୟ କ’ଣ, ଆପଣ କେଉଁ ସଂଗଠନ ସହ ଜଡ଼ିତ ଏବଂ ସେହି ସଂଗଠନର ଉଦ୍ଦେଶ୍ୟ କ’ଣ? ଯେତେବେଳେ ଶାନ୍ତି ଓ ଶୃଙ୍ଖଳା ଭଙ୍ଗ ହେବାର ଆଶଙ୍କା ରହିଥାଏ, ସେତେବେଳେ ଏହି ସମସ୍ତ ପ୍ରଶ୍ନ ଗୁରୁତ୍ୱ ବହନ କରେ।

Tags: