ମେ’ ୨୭ରେ ମୌସୁମୀ କେରଳ ଛୁଇଁବ
ନୂଆଦିଲ୍ଲୀ: ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଆଗମନ ପାଇଁ ବେଶୀଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଲୋକ ବେଶୀଦିନ ଗରମରେ ଛଟପଟ ହେବେନାହିଁ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆକଳନ ଅନୁଯାୟୀ, ମୌସୁମୀ ମେ ୨୨ରୁ ୩୦ ତାରିଖ ଭିତରେ କେରଳ ଛୁଇଁପାରେ। ସାଧାରଣତଃ ଦେଶରେ ମୌସୁମୀ ପହଞ୍ଚିବାର ସମୟ ଜୁନ୍ ୧ ତାରିଖ ହୋଇଥିବାବେଳେ ଏଥର ପାଖାପାଖି ୬ ଦିନ ପୂର୍ବରୁ ମେ ୨୭ ତାରିଖ ସୁଦ୍ଧା ମୌସୁମୀ କେରଳରେ ପହଞ୍ଚି ପାରେ ବୋଲି ଆକଳନ କରାଯାଇଛି। ଦେଶର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମଲହରୀ ଜାରି ରହିଥିବାବେଳେ ମୌସୁମୀ ଶୀଘ୍ର ଆସିବା ଖବର ଆଶ୍ବସ୍ତିକର। ମେ ୧୧ ତାରିଖରେ ରାଜସ୍ଥାନର ବାଡ଼ମେର୍ରେ ତାପମାତ୍ରା ୪୭. ୩ ଡିଗ୍ରିରେ ପହଞ୍ଚି ଥିଲା। ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଓ ଦକ୍ଷିଣ ଭାରତର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଏହାରି ମଧ୍ୟରେ ଉତ୍ତରପ୍ରଦେଶରେ କାଳବୈଶାଖୀ ତାଣ୍ଡବ ରଚିଛି। ବୁଧବାର ଉତ୍ତରପ୍ରଦେଶରେ କାଳବୈଶାଖୀ ଯୋଗୁ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି।



