ସୋନିଆଙ୍କ ଆତ୍ମଜୀବନୀରୁ ଅପରେସନ୍ ବ୍ଲୁଷ୍ଟାର ବିବାଦ: ‘ଶୁଣାକଥା’ କହିଲା ଆପ୍‌, ‘କ୍ଷମତାର ଲୋଭ’ କହି ବର୍ଷିଲା ବିଜେପି

ସୋନିଆଙ୍କ ଆତ୍ମଜୀବନୀରୁ ଅପରେସନ୍ ବ୍ଲୁଷ୍ଟାର ବିବାଦ: ‘ଶୁଣାକଥା’ କହିଲା ଆପ୍‌, ‘କ୍ଷମତାର ଲୋଭ’ କହି ବର୍ଷିଲା ବିଜେପି
Samaya Live Desk Picture
Published On
ନୂଆଦିଲ୍ଲୀ: ୧୯୮୪ର ଅପରେସନ୍ ବ୍ଲୁଷ୍ଟାର ଓ ତତ୍‌ପରବର୍ତ୍ତୀ ଘଟଣାକୁ ନେଇ ପୁଣି ତେଜିଲା ରାଜନୈତିକ ବିବାଦ। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ନୂଆ ଆତ୍ମଜୀବନୀ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍‌’ରେ ଅପରେସନ୍ ବ୍ଲୁଷ୍ଟାର ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅନୁତାପ ସମ୍ପର୍କରେ ଥିବା ବର୍ଣ୍ଣନାକୁ ନେଇ ଆମ୍‌ ଆଦମୀ ପାର୍ଟି (ଆପ୍‌) ଓ ବିଜେପି ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ସୋନିଆଙ୍କ ଦାବିକୁ ‘ଶୁଣାକଥା’ ଓ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଅନୁସାରେ ଦିଆଯାଇଥିବା ବୟାନ ବୋଲି କହିଛି ଆପ୍‌। ଅନ୍ୟପକ୍ଷରେ କଂଗ୍ରେସର ରାଜନୈତିକ ଇତିହାସକୁ ଟାର୍ଗେଟ୍‌ କରି ‘କ୍ଷମତାର ଲୋଭ’ ବୋଲି କଟାକ୍ଷ କରିଛି ବିଜେପି। ସୋନିଆଙ୍କ ଆତ୍ମଜୀବନୀ ମଙ୍ଗଳବାରଠାରୁ ବଜାରକୁ ଆସିଛି। ଏଥିରେ ସେ ନିଜ ଶାଶୂ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ଜଡ଼ିତ ଅନେକ ବ୍ୟକ୍ତିଗତ ଅନୁଭୂତି ବଖାଣିଛନ୍ତି। ଅପରେସନ୍ ବ୍ଲୁଷ୍ଟାର ପରେ ସ୍ୱର୍ଣ୍ଣମନ୍ଦିରରେ ହୋଇଥିବା କ୍ଷୟକ୍ଷତି ଓ ମୃତାହତଙ୍କ ଦୃଶ୍ୟର ଭିଡିଓ ଦେଖି ଇନ୍ଦିରାଙ୍କ ଆଖିରେ ଲୁହ ଆସିଥିବା ସେ ଲେଖିଛନ୍ତି। ତାଙ୍କ ମତରେ, ଇନ୍ଦିରାଙ୍କ ଆଖିରେ ଥିବା ଲୁହ ଯନ୍ତ୍ରଣା ଓ ଅନୁତାପର ପ୍ରତୀକ ଥିଲା। ସାମରିକ ଅଭିଯାନର ଅନ୍ତ ଏବଂ ବହୁ ଜୀବନ ହାନିକୁ ନେଇ ସେ ଦୁଃଖିତ ଥିବା ସୋନିଆ ଉଲ୍ଲେଖ କରିଛନ୍ତି। ତେବେ ଏହି ବର୍ଣ୍ଣନାକୁ ନେଇ ଆପ୍‌ର ଦିଲ୍ଲୀ ସଭାପତି ସୌରଭ ଭରଦ୍ୱାଜ ପ୍ରଶ୍ନ ଉଠାଇଛନ୍ତି। ଇନ୍ଦିରା ଗାନ୍ଧୀ ସେତେବେଳେ ନିଜେ ଅନୁତାପ ପ୍ରକାଶ କରିଥିଲେ ତାହାର ଗୁରୁତ୍ୱ ଅଧିକ ରହିଥାନ୍ତା ବୋଲି ସେ କହିଛନ୍ତି। ସୋନିଆଙ୍କ ଏହି ବର୍ଣ୍ଣନାକୁ ‘ଶୁଣାକଥା’ ବୋଲି ଅଭିହିତ କରି ଏହାକୁ ସ୍ୱତନ୍ତ୍ର ଭାବେ ଯାଞ୍ଚ କରିବା ସମ୍ଭବ ନୁହେଁ ବୋଲି ସେ ମତ ଦେଇଛନ୍ତି। ବର୍ତ୍ତମାନର ରାଜନୈତିକ ପରିବେଶକୁ ଦୃଷ୍ଟିରେ ରଖି ଏହି ବୟାନ ଦିଆଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏହାସହ ସ୍ୱର୍ଣ୍ଣମନ୍ଦିର ପରିସରରେ ସେନାର ତୋପ ଓ ଭାରୀ ଅସ୍ତ୍ରଶସ୍ତ୍ର ବ୍ୟବହାର ଏବଂ ସେହି ବର୍ଷ ଦିଲ୍ଲୀରେ ଶିଖ୍‌ମାନଙ୍କ ହତ୍ୟାକାଣ୍ଡ କଂଗ୍ରେସର ଧର୍ମନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଉଛି ବୋଲି ଭରଦ୍ୱାଜ କହିଛନ୍ତି। ଅନ୍ୟପକ୍ଷରେ ବିଜେପି ସାଂସଦ ଭୋଲା ସିଂହ ମଧ୍ୟ ସୋନିଆଙ୍କୁ ଟାର୍ଗେଟ୍‌ କରିଛନ୍ତି। ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସୋନିଆ ଗାନ୍ଧୀ ପରଦା ପଛରୁ ସରକାର ଚଳାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏମର୍ଜେନ୍ସି ଲାଗୁ କରିବା ଓ ୧୯୮୪ର ଶିଖ୍‌ ବିରୋଧୀ ହିଂସାର ଉଦାହରଣ ଦେଇ କଂଗ୍ରେସ କ୍ଷମତା ବଜାୟ ରଖିବା ପାଇଁ ଯେକୌଣସି ସୀମାକୁ ଯାଇପାରେ ବୋଲି ସେ କଟାକ୍ଷ କରିଛନ୍ତି। ରାଜ୍ୟସଭା ସାଂସଦ ସତନାମ ସିଂହ ସାନ୍ଧୁ ମଧ୍ୟ ସୋନିଆଙ୍କ ବର୍ଣ୍ଣନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଇନ୍ଦିରାଙ୍କ ଅନୁତାପ କାହା ପାଇଁ ଥିଲା—ଶିଖ୍‌ମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ, ସ୍ୱର୍ଣ୍ଣମନ୍ଦିରର କ୍ଷୟକ୍ଷତି ନା ନିଜର ସାମରିକ ଅଭିଯାନ ନିଷ୍ପତ୍ତି ପାଇଁ—ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଧ୍ୱଂସଲୀଳା ପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରିବା ସହ କଂଗ୍ରେସ ଏଯାଏ ଏହାର ଦାୟିତ୍ୱ ସ୍ୱୀକାର କରିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ୧୯୮୪ ଜୁନ୍‌ ୬ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିର୍ଦ୍ଦେଶରେ ଭାରତୀୟ ସେନା ଅମୃତସରର ସ୍ୱର୍ଣ୍ଣମନ୍ଦିର ପରିସରରେ ଅପରେସନ୍ ବ୍ଲୁଷ୍ଟାର ଆରମ୍ଭ କରିଥିଲା। ଜର୍ନେଲ ସିଂହ ଭିନ୍ଦ୍ରନୱାଲେଙ୍କ ନେତୃତ୍ୱରେ ଥିବା ସଶସ୍ତ୍ର ଉଗ୍ରପନ୍ଥୀଙ୍କୁ ହଟାଇବା ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା। ଏହି ଅଭିଯାନରେ ଭିନ୍ଦ୍ରନୱାଲେଙ୍କ ସମେତ ତାଙ୍କର ଅନେକ ସଶସ୍ତ୍ର ଅନୁଗାମୀ ନିହତ ହୋଇଥିଲେ। ଏହାକୁ ନେଇ ବ୍ୟାପକ ବିବାଦ ଓ ସମାଲୋଚନା ହୋଇଥିଲା। ଏହାର କିଛି ମାସ ପରେ, ୧୯୮୪ ଅକ୍ଟୋବର ୩୧ରେ ଇନ୍ଦିରା ଗାନ୍ଧୀ ନିଜର ଦୁଇ ଶିଖ୍‌ ସୁରକ୍ଷାକର୍ମୀ ବିୟନ୍ତ ସିଂହ ଓ ସତୱନ୍ତ ସିଂହଙ୍କ ଗୁଳିରେ ନିହତ ହୋଇଥିଲେ। ଏହାପରେ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଶିଖ୍‌ ବିରୋଧୀ ହିଂସା ଘଟିଥିଲା।
Tags: