ଲଦାଖରେ ଗୃହବନ୍ଦୀ ଥିବା ଅଭିଯୋଗ ଆଣିଲେ ସୋନମ ୱାଙ୍ଗଚୁକ୍; ଘର ବାହାରେ ୨୫ ସୁରକ୍ଷାକର୍ମୀ ମୁତୟନ
ଲେହ: ପରିବେଶ କର୍ମୀ ତଥା ଲେହ ଆପେକ୍ସ ବଡିର ପ୍ରମୁଖ ସଦସ୍ୟ ସୋନମ ୱାଙ୍ଗଚୁକ୍ ଲଦାଖରେ ଗୃହବନ୍ଦୀ ଥିବା ଅଭିଯୋଗ ଆଣିଛନ୍ତି। ତାଙ୍କ ଘର ଚାରିପାଖରେ ପ୍ରାୟ ୨୫ ଜଣ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନ ମୁତୟନ ହୋଇଥିବା ସେ ଦାବି କରିଛନ୍ତି। ବିନା ଗିରଫରେ ଜଣେ ବ୍ୟକ୍ତିଙ୍କୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ସାମିଲ ହେବାରୁ କିପରି ରୋକାଯାଇପାରିବ ବୋଲି ସେ ପ୍ରଶ୍ନ କରିବା ସହ ଏହି ପ୍ରତିବନ୍ଧକ ବିରୋଧରେ ଆଇନଗତ ଲଢ଼େଇ କରିବାକୁ ଘୋଷଣା କରିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ସୋସିଆଲ ମିଡିଆ ଏକ୍ସ ଓ ଫେସବୁକ୍ରେ ଏକ ଭିଡିଓ ବାର୍ତ୍ତା ଜାରି କରି ୱାଙ୍ଗଚୁକ୍ ଏହି ଅଭିଯୋଗ ଆଣିଛନ୍ତି। ବୁଧବାର ରାତିରୁ ତାଙ୍କ ଘର ବାହାରେ ଅନେକ ସୁରକ୍ଷାକର୍ମୀ, ଗାଡ଼ି ଓ ଟେଣ୍ଟ୍ ଲଗାଯାଇଥିବା ସେ କହିଛନ୍ତି। ଦିନବେଳେ ମଧ୍ୟ ଘରର ସବୁପଟେ ସଶସ୍ତ୍ର ସୁରକ୍ଷାକର୍ମୀ ମୁତୟନ ରହି ତାଙ୍କ ଯାତାୟାତ ଉପରେ କଟକଣା ଲଗାଇଥିବା ଅଭିଯୋଗ କରିଛନ୍ତି। ପ୍ରଶାସନ ପକ୍ଷରୁ ତାଙ୍କୁ କେବଳ ଘରେ ରହିବାକୁ ପରାମର୍ଶ ଦିଆଯାଇଥିବା କୁହାଯାଉଥିବାବେଳେ ଏହାର ବାସ୍ତବ ଅର୍ଥ ଗୃହବନ୍ଦୀ ବୋଲି ୱାଙ୍ଗଚୁକ୍ କହିଛନ୍ତି। ଏହି କଟକଣା ବିରୋଧରେ ସେ ମାଜିଷ୍ଟ୍ରେଟ୍, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସ୍ପଷ୍ଟ କରିଛନ୍ତି। ଲଦାଖର ବିଭିନ୍ନ ଦାବି ନେଇ ଲେହ ଆପେକ୍ସ ବଡି ଓ କାର୍ଗିଲ ଡେମୋକ୍ରାଟିକ୍ ଆଲାଏନ୍ସର ନେତା ଏବଂ ଅନ୍ୟ କର୍ମୀମାନେ ଧାରଣା ଦେବାକୁ ପ୍ରସ୍ତୁତି କରୁଥିବା ସମୟରେ ଏହି କଟକଣା ଲଗାଯାଇଥିବା ୱାଙ୍ଗଚୁକ୍ କହିଛନ୍ତି।
ଡିସେମ୍ବର ୪ ତାରିଖରେ ହେବାକୁ ଥିବା ସ୍ୱୟଂଶାସିତ ପାହାଡ଼ିଆ ବିକାଶ ପରିଷଦ (ହିଲ୍ କାଉନସିଲ୍) ନିର୍ବାଚନର ସମୟକୁ ନେଇ ସେମାନଙ୍କର ଆପତ୍ତି ରହିଛି। ଶୀତଦିନେ ନିର୍ବାଚନ କରାଯିବା ଗ୍ରହଣୀୟ ନୁହେଁ ବୋଲି ୱାଙ୍ଗଚୁକ୍ କହିଛନ୍ତି। କାରଣ ଲଦାଖର ବହୁ ଲୋକ ଏହି ସମୟରେ ଅଞ୍ଚଳ ବାହାରେ ରହିଥାନ୍ତି। ଏଥିସହ ହିଲ୍ କାଉନସିଲ୍ଗୁଡ଼ିକୁ ନିଷ୍କ୍ରିୟ କରିଦିଆଯାଇଥିବା ଏବଂ ସେମାନଙ୍କ ହାତରେ ପ୍ରକୃତ କ୍ଷମତା ନଥିବା ସେ ଅଭିଯୋଗ କରିଛନ୍ତି। ଗତବର୍ଷ ସେପ୍ଟେମ୍ବର ୨୪ ତାରିଖ ଘଟଣା ସମ୍ପର୍କିତ ତଦନ୍ତ କମିସନଙ୍କ ରିପୋର୍ଟ ସାର୍ବଜନୀନ କରିବା ସହ ଏହି ଘଟଣାରେ ଗିରଫ ହୋଇଥିବା ଲୋକଙ୍କୁ ମୁକ୍ତ କରିବାକୁ ମଧ୍ୟ ସେ ଦାବି ଦୋହରାଇଛନ୍ତି। ଏହି ପ୍ରସଙ୍ଗକୁ ଚାପି ଦିଆଯାଉଥିବା ତାଙ୍କର ଅଭିଯୋଗ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଲଦାଖରେ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି। ଦେଶବାସୀଙ୍କ ସମର୍ଥନ ଲୋଡ଼ି ୱାଙ୍ଗଚୁକ୍ କହିଛନ୍ତି ଯେ ଲଦାଖବାସୀ ସର୍ବଦା ଦେଶର ଯୁବପିଢ଼ି ଓ ସୀମାରେ ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କ ସହ ଛିଡ଼ା ହୋଇଛନ୍ତି। ତେଣୁ ଲଦାଖର ଦାବି ପ୍ରତି ସମଗ୍ର ଦେଶର ଲୋକେ ସମର୍ଥନ ଜଣାଇବାକୁ ସେ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଲଦାଖ ପୁଲିସ ଏହି ପଦକ୍ଷେପକୁ ଯଥାର୍ଥ ବୋଲି ଦର୍ଶାଇଛି। କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଲେହ ଜିଲ୍ଲା ମାଜିଷ୍ଟ୍ରେଟ୍ ଜାରି କରିଥିବା ନିଷେଧାଦେଶ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଚାଲିଥିବା ନିର୍ବାଚନ ପ୍ରକ୍ରିୟା ସମୟରେ ଲେହ ପୌରାଞ୍ଚଳରେ ସାଧାରଣ ସଭା, ରାଲି, ପ୍ରତିବାଦ ଓ ଅନ୍ୟାନ୍ୟ ସମାବେଶ ଉପରେ ଏହି ନିର୍ଦ୍ଦେଶ ନିୟନ୍ତ୍ରଣ ଲଗାଇଛି।
Tags:




