ଗଡଚିରୋଲି ସ୍କୁଲରେ ୬ ଆଦିବାସୀ ଛାତ୍ରୀଙ୍କୁ ସାପ କାମୁଡ଼ି ଦେଲା, ୩ ଜଣଙ୍କ ମୃତ୍ୟୁ

ଗଡଚିରୋଲି ସ୍କୁଲରେ ୬ ଆଦିବାସୀ ଛାତ୍ରୀଙ୍କୁ ସାପ କାମୁଡ଼ି ଦେଲା, ୩ ଜଣଙ୍କ ମୃତ୍ୟୁ
Samaya Live Desk Picture
Published On

ମୁମ୍ବାଇ: ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାର ଏକ ଆବାସିକ ବିଦ୍ୟାଳୟରେ ବିଷାକ୍ତ ସାପ କାମୁଡ଼ି ଦେବାରୁ ୩ ଜଣ ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୩ ଜଣ ଛାତ୍ରୀଙ୍କ ଚିକିତ୍ସା ଚାଲିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ରବିବାର ମଧ୍ୟରାତ୍ରି ସମୟରେ ଧାନୋରା ତାଲୁକା ମୁଖ୍ୟାଳୟଠାରୁ ପ୍ରାୟ ୧୦ କିଲୋମିଟର ଦୂର ଜପଟଲାଇ ଗାଁରେ ଥିବା ଆଦିବାସୀ ଆବାସିକ ବିଦ୍ୟାଳୟ ଛାତ୍ରାବାସରେ ଏହି ଘଟଣା ଘଟିଛି। ଛାତ୍ରାବାସରେ ମାଟି ଉପରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ଛାତ୍ରୀମାନଙ୍କୁ କାମୁଡ଼ି ଦେଇଥିଲା। ମୃତ ୩ ଜଣ ଛାତ୍ରୀଙ୍କ ବୟସ ୮, ୧୨ ଓ ୧୪ ବର୍ଷ। ଅନ୍ୟ ୩ ଜଣ ଛାତ୍ରୀଙ୍କ ବୟସ ୧୧ରୁ ୧୪ ବର୍ଷ ମଧ୍ୟରେ ଏବଂ ସେମାନଙ୍କର ଚିକିତ୍ସା ଚାଲିଛି । ଜିଲ୍ଲାପାଳ ଅବିଷ୍ୟାନ୍ତ ପାଣ୍ଡା କହିଛନ୍ତି, ଘଟଣାଟି କିପରି ଘଟିଲା, ଛାତ୍ରୀମାନଙ୍କ ରହିବା ସ୍ଥାନରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଥିଲା କି ନାହିଁ ଏବଂ ବିଦ୍ୟାଳୟ ପରିଚାଳନା ଆବଶ୍ୟକ ସୁରକ୍ଷା ନିୟମ ଓ ସତର୍କତା ପାଳନ କରିଥିଲା କି ନାହିଁ, ତାହା ଜାଣିବା ପାଇଁ ବିସ୍ତୃତ ତଦନ୍ତ କରାଯିବ। ସେ କହିଛନ୍ତି ଯେ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାର ସମ୍ପୂର୍ଣ୍ଣ ଯାଞ୍ଚ କରାଯିବ। ଏହି ଘଟଣା ପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି। ତିନି ଜଣ ଛାତ୍ରୀଙ୍କ ଚିକିତ୍ସା ଚାଲିଛି। ସେମାନଙ୍କୁ ତୁରନ୍ତ ଆଣ୍ଟି ଭେନମ୍‌ ଦିଆଯାଇଛି ଏବଂ ଡାକ୍ତରୀ ଦଳ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଘନିଷ୍ଠ ନଜର ରଖିଛନ୍ତି ବୋଲି ସେ କହିଛନ୍ତି।

Tags: