ଉତ୍ତରପ୍ରଦେଶରେ ନିର୍ମାଣାଧୀନ ପୋଲ ଭୁଶୁଡ଼ି ୬ ଶ୍ରମିକଙ୍କ ମୃତ୍ୟୁ
ହମିରପୁ: ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଶୁକ୍ରବାର ସକାଳେ ବେତୱା ନଦୀ ଉପରେ ଏକ ନିର୍ମାଣାଧୀନ ପୋଲର ଅଂଶ ଭୁଶୁଡ଼ି ପଡ଼ିବାରୁ ଛଅ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଭୋର ପ୍ରାୟ ୩ଟା ସମୟରେ ପରସାନି ଓ କନ୍ଦୌର ଗ୍ରାମ ମଧ୍ୟରେ ଏହି ଘଟଣା ଘଟିଥିଲା ଯେତେବେଳେ ମୌରାକାନ୍ଦରରୁ କୁରାରା ପର୍ଯ୍ୟନ୍ତ ନିର୍ମାଣ କରାଯାଉଥିବା ପୋଲର ଏକ ସ୍ଲାବ୍ ଭୁଶୁଡ଼ି ପଡ଼ିଥିଲା।ଅଧିକାରୀ କହିଛନ୍ତି ଯେ, ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅନେକ ଶ୍ରମିକ ପୋଲ ଭୁଶୁଡ଼ିବା ସମୟରେ ସ୍ଲାବର ଉପର ଭାଗରେ ଶୋଇଥିଲେ। ମୃତକମାନେ ହେଲେ ଲୋକେନ୍ଦ୍ର (୨୨), କୁଲଦୀପ ନିଷାଦ (୧୯), ସାୱନ୍ତ ଯାଦବ (୨୮), ସଭାଜିତ୍ (୩୦), ପୁଷ୍ପେନ୍ଦ୍ର ଚୌହାନ (୩୪) ଓ ରାଜେଶ ପାଲ (୪୨)। ଏକ ସ୍ତମ୍ଭ ତଳେ ଫସି ରହିଥିବା ତିନିଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ହମିରପୁରର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଲାଲପୁରା ଥାନାର ଷ୍ଟେସନ୍ ହାଉସ୍ ଅଫିସର ରାଜେଶ କୁମାର ସରୋଜ କହିଛନ୍ତି ଯେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ଅନ୍ୟ କୌଣସି ଶ୍ରମିକ ଭଗ୍ନାବଶେଷ ତଳେ ଫସିଛନ୍ତି କି ନାହିଁ ନିଶ୍ଚିତ କରିବାକୁ ଆବର୍ଜନା ହଟାଇବା କାର୍ଯ୍ୟ ଚାଲିଛି।



