କିମ୍ବଦନ୍ତୀ ଗାୟିକା ସୁମନ କଲ୍ୟାଣପୁରଙ୍କ ୮୯ ବର୍ଷ ବୟସରେ ପରଲୋକ
ମୁମ୍ବାଇ: କିମ୍ବଦନ୍ତୀ ଗାୟିକା ସୁମନ କଲ୍ୟାଣପୁରଙ୍କ ଆଜି ୮୯ ବର୍ଷ ବୟସରେ ପରଲୋକ ଘଟିଛି। ବହୁଦିନ ଧରି ସେ ବୟସାଧିକ୍ୟ ଜନିତ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବାବେଳେ ଲୋଖଣ୍ଡୱାଲାସ୍ଥିତ ତାଙ୍କ ବାସଭବନରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ‘ନା ନା କରତେ ପ୍ୟାର୍ ତୁମ୍ ହି ସେ’ ଏବଂ ‘ଆଜକଲ୍ ତେରେ ମେରେ ପ୍ୟାର୍ କେ ଚର୍ଚ୍ଚେ’ ଭଳି ଗୀତ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ତାଙ୍କର ମଧୁର କଣ୍ଠସ୍ୱର ଏବଂ ଗାୟନ ଶୈଳୀ ପାଇଁ ସେ ତାଙ୍କ ସମୟରେ ସବୁଠାରୁ ପ୍ରସିଦ୍ଧ ଗାୟିକା ଭାବେ ଉଭା ହୋଇଥିଲେ। ଦଶନ୍ଧି ଧରି ତାଙ୍କ ଗୀତରେ ଦର୍ଶକଙ୍କୁ ମନୋରଞ୍ଜନ କରିଥିବା ସୁମନ କଲ୍ୟାଣପୁର ହିନ୍ଦୀ ସହିତ ଅନ୍ୟାନ୍ୟ ଅନେକ ଭାଷାରେ ଗୀତ ଗାଇଥିଲେ। ଭାରତୀୟ ସଙ୍ଗୀତ ଜଗତରେ ତାଙ୍କର ଅବଦାନ ସର୍ବଦା ମନେ ରହିବ। ସେ ତାଙ୍କ ଗୀତ ମାଧ୍ୟମରେ ଅନେକ ପିଢ଼ିକୁ ସଙ୍ଗୀତର ଅମୂଲ୍ୟ ଉପହାର ଦେଇଚାଲିଥିବେ। ସୁମନ କଲ୍ୟାଣପୁର ୨୮ ଜାନୁଆରି ୧୯୩୭ ରେ ବାଂଲାଦେଶର ଢାକାରେ ଜନ୍ମଗ୍ରହଣ କରିଥିଲେ, ଯାହା ସେତେବେଳେ ଅବିଭକ୍ତ ଭାରତର ଅଂଶ ଥିଲା। ତାଙ୍କର ଦୀର୍ଘ ସଙ୍ଗୀତ କ୍ୟାରିୟର ସମୟରେ, ସେ ସେ ହିନ୍ଦୀ , ବଙ୍ଗାଳୀ , ମରାଠୀ , ଆସାମୀ , ଗୁଜୁରାଟୀ , କନ୍ନଡ , ଅଙ୍ଗିକା , ଭୋଜପୁରୀ , ରାଜସ୍ଥାନୀ , ଓଡ଼ିଆ ଏବଂ ପଞ୍ଜାବୀ ସମେତ ଅନେକ ଭାଷାରେ ଶହ ଶହ ଲୋକପ୍ରିୟ ଗୀତ ଗାଇଥିଲେ। ତାଙ୍କର ସୁମଧୁର କଣ୍ଠସ୍ୱର ଏବଂ ଚମତ୍କାର ଗାୟନ ସହିତ, ସେ ଭାରତୀୟ ସଙ୍ଗୀତ କ୍ଷେତ୍ରରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିଥିଲେ।



