ସିଦ୍ଧୁଙ୍କ ପତ୍ନୀ କଂଗ୍ରେସରୁ ନିଲମ୍ବିତ

ସିଦ୍ଧୁଙ୍କ ପତ୍ନୀ କଂଗ୍ରେସରୁ ନିଲମ୍ବିତ
Samaya Live Desk Picture
Published On

ନୂଆଦିଲ୍ଲୀ : ନବଜୋତ ସିଂହ ସିଦ୍ଧୁଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ସେ ରାଜନୀତିକୁ ଫେରିବେ ବୋଲି ତାଙ୍କ ପତ୍ନୀ ନବଜୋତ କୌର କହିଥିଲେ। ଏଥିସହ ସେ ଏକ ବିବାଦୀୟ ଟିପ୍ପଣୀ ଦେଇ କହିଥିଲେ ଯେ ଦଳକୁ ଯେ କେହି ବି ୫୦୦ କୋଟି ଟଙ୍କା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ହୋଇପାରିବେ।  କୌରଙ୍କ ଏହି ଟିପ୍ପଣୀକୁ ନେଇ ବିବାଦ ହେବାରୁ ସୋମବାର ତାଙ୍କୁ ପଞ୍ଜାବ କଂଗ୍ରେସ ପକ୍ଷରୁ ନିଲମ୍ବନ କରାଯାଇଛି। ଦଳର ରାଜ୍ୟ ଶାଖା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବାବେଳେ ନୋଟିସରେ ନିଲମ୍ବନର କାରଣ ଉଲ୍ଲେଖ କରାଯାଇନାହିଁ।   ନବଜୋତ କୌର ରାଜ୍ୟରେ ବିଗୁଡ଼ୁଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଗତକାଲି ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆଙ୍କୁ ଭେଟିବା ପରେ ଗଣମାଧ୍ୟମ ସମ୍ମୁଖରେ ଏପରି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କଂଗ୍ରେସ ଦଳରେ କନ୍ଦଳ ଲାଗି ରହିଥିବା ମଧ୍ୟ ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗରେ ବିଜେପି ପକ୍ଷରୁ ତୁରନ୍ତ ପ୍ରତିକ୍ରିୟା ରଖି କୁହାଯାଇଥିଲା ଯେ, କଂଗ୍ରେସ ଦୁର୍ନୀତିକୁ ନୀତି ଆଦର୍ଶରେ ପରିଣତ କରିଛି। ବିଜେପି ପ୍ରବକ୍ତା ସୁଧାଂଶୁ ତ୍ରିବେଦୀ କହିଛନ୍ତି, କଂଗ୍ରେସରେ କିପରି କର୍ମୀଙ୍କଠାରୁ ନେତାଙ୍କ ପର୍ଯ୍ୟନ୍ତ ଦୁର୍ନୀତି ମାଡ଼ି ଯାଇଛି ତାହା ଏହି ମନ୍ତବ୍ୟରୁ ଜଣାପଡ଼ୁଛି। 

Tags: