ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେବାପରେ ଦିଲ୍ଲୀରେ ରାହୁଲ, ଖଡ଼ଗେଙ୍କୁ ଭେଟିଲେ ସିଦ୍ଦରମୈୟା
ବେଙ୍ଗାଲୁରୁ: ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବାପାଇଁ ନିଜେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସିଦ୍ଦରମୈୟା ପୁଅ ଯତୀନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ, ଅନୁଗତଙ୍କ ପାଇଁ କ୍ୟାବିନେଟ୍ ମନ୍ତ୍ରୀ ପଦ ଓ ଏକ ସମନ୍ବୟ କମିଟି କଠନ କରି ନିଜ ପାଇଁ ଏହାର ଅଧ୍ୟକ୍ଷ ପଦ ଦାବି କରିଛନ୍ତି। ସରକାରରୁ ବାହାରେ ରହିବା ସତ୍ତ୍ବେ ରାଜନୀତିରେ ପ୍ରଭାବ ବିସ୍ତାର ପାଇଁ ସିଦ୍ଦରମୈୟାଙ୍କ ଏହି ପଦକ୍ଷେପ ହାଇକମାଣ୍ଡଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଶୁକ୍ରବାର ଦିଲ୍ଲୀରେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟି ସିଦ୍ଦରମୈୟା ଏକ ସମନ୍ୱୟ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହା ଦଳ ଓ ସରକାର ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ କରିବ। ୨୦୧୮ରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ସମୟରେ ସମନ୍ୱୟ କମିଟିର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିବା ସିଦ୍ଦରମୈୟା ସମାନ ମଡେଲକୁ ପୁନର୍ଜୀବିତ କରିବାକୁ ଚାହୁଥିଲେ, ଯାହା ତାଙ୍କୁ ରାଜ୍ୟରେ ଏକ ବିକଳ୍ପ ଶକ୍ତି କେନ୍ଦ୍ର ଭାବରେ ଜାରି ରଖିବାକୁ ଅନୁମତି ଦେବ। ତେବେ ସୂତ୍ରରୁ ପ୍ରକାଶ ଯେ କଂଗ୍ରେସ ହାଇକମାଣ୍ଡ ଏହି ପ୍ରସ୍ତାବରେ ରାଜି ହୋଇନାହାନ୍ତି, କାରଣ ଯେଉଁ ସରକାରରେ ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ପାଇଥାଏ ସେଠାରେ ସମନ୍ୱୟ କମିଟିର ଆବଶ୍ୟକତା କମ୍ ଥାଏ।
ଉଲ୍ଲେଖଯୋଗ୍ୟ କର୍ଣ୍ଣାଟକର ୭୭ ବର୍ଷୀୟ କଂଗ୍ରେସ ନେତା ଗୁରୁବାର ଇସ୍ତଫା ଦେଇଛନ୍ତି, ଯାହା ଶିବକୁମାରଙ୍କ ସହ ଏକ ମାସ ଧରି ଚାଲିଥିବା କ୍ଷମତା ବିବାଦର ଅନ୍ତ ଘଟାଇଛି। କଂଗ୍ରେସ ତାଙ୍କୁ ରାଜ୍ୟସଭା ଆସନ ଏବଂ ଜାତୀୟ ରାଜନୀତିରେ ଏକ ବଡ଼ ଭୂମିକା ନେବାକୁ ପ୍ରସ୍ତାବ ଦେଇଥିଲା, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ରାଜ୍ୟ ରାଜନୀତିରେ ସକ୍ରିୟ ରହିବାକୁ ଜିଦ୍ ଧରିଥିଲେ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସିଦ୍ଦରମୈୟା ଯତୀନ୍ଦ୍ର ଓ ତାଙ୍କ ଅନୁଗତଙ୍କ ପାଇଁ କର୍ଣ୍ଣାଟକର ନୂତନ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦ ସମେତ କ୍ୟାବିନେଟ୍ ପଦ ମଧ୍ୟ ଚାହୁଛନ୍ତି।



