ଖାନ୍ ସାର୍ ଙ୍କ କୋଚିଂସେଣ୍ଟର ଉପରକୁ ଗୁଳି ମାଡ଼,ସିକ୍ୟୁରିଟି ଗାର୍ଡ ଆହତ
ବିହାର : ଲୋକପ୍ରିୟ ଶିକ୍ଷାବିତ୍ ଖାନ୍ ସାର୍ଙ୍କ କୋଚିଂ ସେଣ୍ଟର ଉପରକୁ ଗୁଳି ମାଡ଼ । ପାଟନାର ମୁସଲ୍ଲାପୁର ହାଟ୍ ଅଞ୍ଚଳରେ ଥିବା ଖାନ୍ ସାରଙ୍କ କୋଚିଂ ସେଣ୍ଟର ବାହାରେ ଗୁଳିମାଡ଼ରେ ସିକ୍ୟୁରିଟି ଗାର୍ଡ ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାରେ ଖାନ୍ ସାର୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । କମ୍ ଫି’ରେ ପଢ଼ାଉଥିବାରୁ ଖାନ୍ ସାର୍ ଙ୍କୁ ହତ୍ୟା ଉଦ୍ୟମ! ହୋଇଥିବା ଜଣାପଡିଛି । କୋଚିଂ ଇନଷ୍ଟିଚ୍ୟୁଟ୍ ବାହାରେ କିଛି ଅଜ୍ଞାତ ଦୁର୍ବୃତ୍ତ ୫ ରୁ ୮ ରାଉଣ୍ଡ ଆଖିବୁଜା ଗୁଳିମାଡ଼ କରିଛନ୍ତି । ହଠାତ୍ ହୋଇଥିବା ଏହି ଗୁଳିମାଡ଼ ଶବ୍ଦରେ ସାରା ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଆକ୍ରମଣ ସମୟରେ ଖାନ୍ ସାର୍ ଙ୍କ ଇନଷ୍ଟିଚ୍ୟୁଟ୍ ର ପୋଷ୍ଟର ଓ ବ୍ୟାନର ମଧ୍ୟ ଚିରି ଦିଆଯାଇଛି । ଏହି ଆକ୍ରମଣ ପଛରେ ଅନ୍ୟ ଏକ ପ୍ରତିଦ୍ୱନ୍ଦ୍ୱୀ କୋଚିଂ ସେଣ୍ଟରର ହାତ ଥିବା ସିଧାସଳଖ ଅଭିଯୋଗ କରିଛନ୍ତି ଖାନ୍ ସାର । ଏପରିକି ଗତ କିଛି ଦିନ ହେବ ଧମକ ମଧ୍ୟ ମିଳୁଥିଲା ବୋଲି କହିଛନ୍ତି।
ଅନ୍ୟପଟେ ପାଟନା ସିନିୟର ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (SSP), ଏସପି (SP) ଏବଂ ପୋଲିସର ଏକାଧିକ ସ୍ପେଶାଲ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସେପଟେ, ରାତିରେ ଖାନ୍ ସାର୍ ଦେଇଥିବା ବୟାନ କୁ ବଦଳାଇ ଦେଇଛନ୍ତି । ସେ କହିଛନ୍ତି କହିଛନ୍ତି, "ଆମର ଜଣେ ସୁରକ୍ଷା ଗାର୍ଡଙ୍କ ସହ ମାରପିଟ୍ କରାଯାଇଛି । ଗାର୍ଡ ମତେ ଯେପରି ସୂଚନା ଦେଇଥିଲେ, ମୁଁ ଗଣମାଧ୍ୟମକୁ ସେହିଭଳି କହିଥିଲି ।" ପୂର୍ବରୁ ଖାନ୍ ସାର୍ କହିଥିଲେ କେବଳ ମାରପିଟ୍ ନୁହେଁ ବରଂ କୋଚିଂ ସେଣ୍ଟର ଉପରକୁ ପ୍ରାୟ ୮ ରୁ ୧୦ ରାଉଣ୍ଡ ଗୁଳି ଚାଲାଯାଇଛି ଏବଂ ସେ ନିଜ ଆଖିରେ ଏହା ଦେଖିଛନ୍ତି । ଏବେ ସେ ନିଜ କଥା ବଦଳାଇ କହିଛନ୍ତି ଯେ ସେହି ସମୟରେ ପରିସ୍ଥିତି ଅତ୍ୟନ୍ତ ଜଟିଳ ଥିବାରୁ ଏବଂ କିଛି ବୁଝାପଡ଼ୁ ନଥିବାରୁ ସେ ତରବରିଆ ଭାବେ ସେଭଳି ବୟାନ ଦେଇଦେଇଥିଲେ ।
ଏହି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଖାନ୍ ଗ୍ଲୋବାଲ ଷ୍ଟଡିଜ୍ କୋଚିଂ ସେଣ୍ଟରକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଘଟଣା ପରଠାରୁ ସେଠାରେ ପାଠପଢ଼ା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଅନ୍ୟପଟେ ନିଜ ପ୍ରିୟ ଶିକ୍ଷକ ଓ କୋଚିଂ ସେଣ୍ଟରର ସୁରକ୍ଷାକୁ ନେଇ ଚିନ୍ତିତ ଥିବା ହଜାର ହଜାର ଛାତ୍ରଛାତ୍ରୀ ସଂସ୍ଥାନ ବାହାରେ ଭିଡ଼ ଜମାଇଛନ୍ତି ।
ପୋଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଜବତ କରିବା ସହ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରୁଛି । ମୁସଲ୍ଲାପୁର ହାଟ୍ ଅଞ୍ଚଳଟି କୋଚିଂ ସେଣ୍ଟରଗୁଡ଼ିକର ଏକ ବଡ଼ ହବ୍ ହୋଇଥିବାରୁ, ପୋଲିସ ଏବେ ବ୍ୟବସାୟିକ ଶତ୍ରୁତା ଦିଗକୁ ମୁଖ୍ୟ ଆଧାର କରି ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନାହିଁ।
ଅନ୍ୟପଟେ ଖାନ୍ ସାରଙ୍କ ଇନଷ୍ଟିଚ୍ୟୁଟ୍ ଆଗରେ ଛାତ୍ରଙ୍କ ହଙ୍ଗାମା କରୁଥିବା ଦେଖିବାକୁ ମିଳିଛି । ଗୁଳିକାଣ୍ଡ ଘଟଣାକୁ ନେଇ ପ୍ରତିବାଦ ଏବଂ ନିଜ ସୁରକ୍ଷାକୁ ନେଇ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ କୋଚିଂ ସେଣ୍ଟର ବାହାରେ ଏକାଠି ହୋଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।



