ଆସନ୍ତାକାଲି ପଶ୍ଚିମବଙ୍ଗ ଗସ୍ତ କରିବେ ଶାହ, ଶୁକ୍ରବାର ବିଧାୟକ ଦଳ ବୈଠକ
କୋଲକାତା : ପଶ୍ଚିମବଙ୍ଗରେ ବିଜେପିର ଐତିହାସିକ ବିଜୟ ପରେ ଦଳର ରାଜନୈତିକ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଗୁରୁବାର ସନ୍ଧ୍ୟାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବିଜେପିର ଶୀର୍ଷ ସୂତ୍ର ଅନୁଯାୟୀ, ଅମିତ ଶାହ ପ୍ରଥମେ ବିହାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ଏବଂ ପରେ ସେଠାରୁ ସିଧାସଳଖ ପଶ୍ଚିମବଙ୍ଗ ଯିବେ। ଦଳ ନିର୍ବାଚନ ପରବର୍ତ୍ତୀ ରଣନୀତି ଏବଂ ସରକାର ଗଠନ ପ୍ରକ୍ରିୟା ଜାରି ରଖିଥିବାବେଳେ ଏହି ସମୟରେ ଶାହଙ୍କ ଗସ୍ତକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗରେ ବିଧାୟଳ ଦଳ ନେତା ନିର୍ବାଚିତ କରିବାପାଇଁ ଶାହଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଏଥିସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପଶ୍ଚିମବଙ୍ଗରେ ଦଳ ସହ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି।
ମିଳିଥିବା ସୂଚନାନୁଯାୟୀ ପଶ୍ଚିମବଙ୍ଗରେ ପହଞ୍ଚିବାପରେ ଗୃହମନ୍ତ୍ରୀ ଦଳର ବରିଷ୍ଠ ନେତା ଏବଂ କୋର୍ କମିଟି ସଦସ୍ୟଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିବେ। ଏହି ବୈଠକରେ ବର୍ତ୍ତମାନର ରାଜନୈତିକ ପରିସ୍ଥିତିର ମୂଲ୍ୟାଙ୍କନ, ସାଂଗଠନିକ ପ୍ରସ୍ତୁତି ସମୀକ୍ଷା ଏବଂ ପରବର୍ତ୍ତୀ ପଦକ୍ଷେପ ପାଇଁ ନେତୃତ୍ୱକୁ ସମନ୍ୱିତ କରିବା ଉପରେ ଧ୍ୟାନ ଦିଆଯିବ ବୋଲି ଆଶା କରାଯାଉଛି। ସେହିପରି ୮ ତାରିଖରେ ହେବାକୁ ଥିବା ବିଜେପି ବିଧାୟକ ଦଳ ବୈଠକ ପୂର୍ବରୁ, ଶାହ ରାଜ୍ୟରେ ଆଗାମୀ ଶପଥ ଗ୍ରହଣ ସମାରୋହ ସମ୍ପର୍କରେ ଦଳୀୟ ନେତାମାନଙ୍କ ସହିତ ବିସ୍ତୃତ ଆଲୋଚନା କରିବେ।



