ସିନ୍ଦେ ସେନା ଗୋଷ୍ଠୀରେ ୬ ସାଂସଦଙ୍କ ମିଶ୍ରଣକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ସେନା (ୟୁବିଟି)
ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ)ର ୬ ଜଣ ଲୋକସଭା ସାଂସଦଙ୍କ ମିଶ୍ରଣକୁ ଲୋକସଭା ବାଚସ୍ପତି ଓମ ବିର୍ଲା ଅନୁମୋଦନ କରିବାକୁ ଚ୍ୟାଲେଞ୍ଜ କରି ଶିବସେନା (ୟୁବିଟି) ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଶିବସେନା (ୟୁବିଟି) ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମତ ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ବିପୁଲ ଏମ୍. ପାଞ୍ଚୋଲିଙ୍କ ଖଣ୍ଡପୀଠଙ୍କ ନିକଟରେ ଏନେଇ ଆବେଦନ କରିଥିଲେ। କାମତ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ ଯେ ଏହି ଆବେଦନର ଶୁଣାଣି ବୁଧବାର କରାଯାଉ। ଏହାର ଉତ୍ତରରେ ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ କହିଥିଲେ, ‘ଆମେ ଏହାକୁ ବିଚାରକୁ ନେବୁ’। କାମତ କହିଥିଲେ ଯେ ଜୁଲାଇ ୧୮ ତାରିଖରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ)ର ୬ ଜଣ ସାଂସଦଙ୍କ ମିଶ୍ରଣକୁ ଅନୁମୋଦନ କରିଥିଲେ। ସେ କହିଥିଲେ, ବାଚସ୍ପତି ଏହି ମିଶ୍ରଣକୁ ସ୍ୱୀକୃତି ଦେଇଛନ୍ତି। ଏହା ଏବେ ଜାତୀୟ ସ୍ତରର ଏକ ପ୍ରବୃତ୍ତିରେ ପରିଣତ ହୋଇଛି, ଯେଉଁଠାରେ ଯେଉଁ ଦଳ ବିରୋଧରେ ପ୍ରାର୍ଥୀମାନେ ନିର୍ବାଚନ ଲଢ଼ି ଜିତିଥିଲେ, ପରେ ସେହି ଦଳରେ ଯାଇ ମିଶିଯାଉଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବର୍ଷାକାଳୀନ ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ, ଜୁଲାଇ ୧୮ ତାରିଖରେ ଲୋକସଭା ବାଚସ୍ପତି ଓମ ବିର୍ଲା ଶିବସେନା (ଉଦ୍ଧବ ବାଲାସାହେବ ଠାକରେ)ର ୬ ଜଣ ଲୋକସଭା ସାଂସଦଙ୍କ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିଥିଲେ।




