ନେପାଳରେ ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ୨୧ ଜଣଙ୍କ ମୃତ୍ୟୁ

ନେପାଳରେ ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ୨୧ ଜଣଙ୍କ ମୃତ୍ୟୁ
Samaya Live Desk Picture
Published On

କାଠମାଣ୍ଡୁ : ନେପାଳର ବିଭିନ୍ନ ଅଞ୍ଚଳରେ ଚାରି ଦିନ ଧରି ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଯୋଗୁ ଅତି କମ୍‌ରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ୫ ଜଣ ନିଖୋଜ ଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ଜାତୀୟ ବିପର୍ଯ୍ୟୟ ଜୋଖିମ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଆରଆରଏମଏ) ପକ୍ଷରୁ ପ୍ରକାଶିତ ଏକ ସରକାରୀ ଅଦ୍ୟତନ ଅନୁଯାୟୀ, ଅଧିକାଂଶ ମୃତାହତ ଭୂସ୍ଖଳନ ଯୋଗୁଁ ହୋଇଛନ୍ତି। ଭୂସ୍ଖଳନରେ ୧୪ ଜଣଙ୍କ ଜୀବନ ଯାଇଥିବାବେଳେ ୫ ଜଣ ନିଖୋଜ ଅଛନ୍ତି। ବନ୍ୟା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଲଗାତାର ପ୍ରବଳ ବର୍ଷା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଭୟଙ୍କର ପାଣିପାଗ ଯୋଗୁ ସାରା ଦେଶରେ ୨୪୭ଟି ପରିବାର ସିଧାସଳଖ ପ୍ରଭାବିତ ହୋଇଛନ୍ତି। ୨୬୦ଟି ଘର ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଥିବାବେଳେ ଆଉ ୮୦ଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏନ୍‌ଡିଆରଆରଏମଏ କହିଛି ଯେ ବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ଏକ ଲଘୁଚାପ ବ୍ୟବସ୍ଥା ଯୋଗୁ ସେପ୍ଟେମ୍ବର ୨୪ରୁ ୨୭ ମଧ୍ୟରେ ନେପାଳର ଏକାଧିକ ଅଞ୍ଚଳରେ ପ୍ରବଳରୁ ଅତ୍ୟଧିକ ବର୍ଷା ହୋଇଥିଲା। ଜଳସ୍ତର ବଢ଼ିବା ଏବଂ ଭୂସ୍ଖଳନ ଘଟିବା ପରେ ଜରୁରୀକାଳୀନ ଦଳଗୁଡ଼ିକ ଉଚ୍ଚ ଜୋଖିମପୂର୍ଣ୍ଣ ଅଞ୍ଚଳରୁ ପ୍ରାୟ ୩,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିବା ଏନ୍‌ଡିଆରଆରଏମଏ) କହିଛି। ସଶସ୍ତ୍ର ପୁଲିସ ବଳର ଟିମ୍ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ବିସ୍ଥାପିତ ପରିବାରଗୁଡ଼ିକୁ ଖାଦ୍ୟ ଓ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଇଛି। ପ୍ରବଳ ଭାବେ ପ୍ରଭାବିତ ପାହାଡ଼ିଆ ଜିଲ୍ଲା ଜାଜରକୋଟ, ମ୍ୟାଗ୍ଦି ଏବଂ ସଙ୍ଖୁବାସଭାରେ ଫସି ରହିଥିବା ଲୋକମାନଙ୍କୁ ଜରୁରୀକାଳୀନ ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କରାଯାଇଛି।

Tags: